ଚଳିତବର୍ଷର ଶ୍ରେଷ୍ଠ ଖେଳାଳି ଈଗା ସ୍ବୀତେକ୍
ଜେନିଭା : ବିଶ୍ବ ମାନ୍ୟତାର ଏକ ନମ୍ବର ରାଙ୍କରେ ଥିବା ଈଗା ସ୍ବୀତେକ୍ ଚଳିତବର୍ଷର ଶ୍ରେଷ୍ଠ ଖେଳାଳି ମନୋନୀତ ହୋଇଛନ୍ତି। ଡବ୍ଲୁଟିଏ ଦ୍ବାରା ପ୍ରଦତ୍ତ ସମ୍ମାନକୁ ନିଜ କ୍ୟାରିୟରରେ ପ୍ରଥମ ଥର ପାଇଁ ହାସଲ କରିଛନ୍ତି ସ୍ବୀତେକ୍।
ପୋଲାଣ୍ଡ ଲଳନା ସ୍ବୀତେକ୍ ଚଳିତ ବର୍ଷ ୩୭ ମ୍ୟାଚ୍ରେ ବିଜୟ ଧାରା ଜାରି ରଖିଥିଲା ବେଳେ ଫ୍ରେଞ୍ଚ୍ ଓପନ୍ ଓ ୟୁଏସ୍ ଓପନ୍ ଗ୍ରାଣ୍ଡ୍ସ୍ଲାମ୍ ସାଙ୍ଗକୁ ଦୋହା, ଇଣ୍ଡିଆନ୍ ୱେଲ୍ସ, ମିଆମୀ, ଷ୍ଟଟ୍ଗାର୍ଟ, ରୋମ୍ ଓ ସାନ୍ ଡିଆଗୋ ଟ୍ରଫି ମଧ୍ୟ ଜିତିଥିଲେ। ୨୦୨୦ରେ ଶ୍ରେଷ୍ଠ ନବାଗତା ଖେଳାଳି ବିବେଚିତ ହୋଇଥବା ସ୍ବୀତେକ୍ ୨୦୨୨ରେ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ମୋଟଉପରେ ୬୭ ମ୍ୟାଚ୍ ଜିତିଥିଲା ବେଳେ ସର୍ବାଧିକ ଫାଇନାଲ୍ ପ୍ରବେଶ ଓ ଟ୍ରଫି ଜିତିବା ଖେଳାଳିଙ୍କ ତାଲିକାର ଶୀର୍ଷରେ ରହିଥିଲେ।
ସ୍ବୀତେକ୍ ମହିଳା ଏକକରେ ବର୍ଷର ଶ୍ରେଷ୍ଠ ଖେଳାଳି ମନୋନୀତ ହୋଇଥିଲା ବେଳେ ବାର୍ବରା କ୍ରେସିକୋଭା ଓ କାଟେରିନା ସିନିଆକୋଭା ମହିଳା ଯୁଗଳରେ ବର୍ଷର ଶ୍ରେଷ୍ଠ ଯୋଡ଼ି ବିବେଚିତ ହୋଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଚୀନ୍ର ଝେଙ୍ଗ୍ କ୍ବିନ୍ୱେନ୍ ବର୍ଷର ଶ୍ରେଷ୍ଠ ନବାଗତ, ବ୍ରାଜିଲର ବେତ୍ରିଜ୍ ହାଦଦ୍ ମାରିଆ ସର୍ବାଧିକ ପ୍ରଗତିଶୀଳ ଖେଳାଳି ଏବଂ ଜର୍ମାନିର ତାତାନା ମାରିଆ ଶ୍ରେଷ୍ଠ ପ୍ରତ୍ୟାବର୍ତନ ଖେଳାଳି ସମ୍ମାନ ହାତେଇଛନ୍ତି।
