ଇଡି ରିମାଣ୍ଡରେ ଅର୍ଚ୍ଚନା ନାଗ ଓ ସ୍ୱାମୀ ଜଗବନ୍ଧୁ
ଭୁବନେଶ୍ୱର : ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଓ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ରିମାଣ୍ଡରେ ନେଇଛି ପ୍ରବର୍ତନ ନିର୍ଦ୍ଦେଶାଳୟ ବା ଇଡି । ଇଡି ପକ୍ଷରୁ ହୋଇଥିବା ରିମାଣ୍ଡ ଆବେଦନକୁ ଖୋର୍ଦ୍ଧା ଓ ଜିଲ୍ଲା ଜଜ୍ କୋର୍ଟ ଗ୍ରହଣ କରିଛନ୍ତି । କୋର୍ଟ ଅର୍ଚ୍ଚନାଙ୍କୁ ୬ ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଛନ୍ତି । ସେହିଭଳି ଜଗବନ୍ଧୁଙ୍କୁ ୯ ଦିନ ପାଇଁ ରିମାଣ୍ଡରେ ନେବାକୁ କୋର୍ଟ ଆଦେଶ ଦେଇଛନ୍ତି । ଅର୍ଚ୍ଚନା ଆଜି ଦ୍ୱିତୀୟ ଥର ପାଇଁ ରିମାଣ୍ଡରେ ଯାଇଛନ୍ତି । ଜଗବନ୍ଧୁ ଆସନ୍ତାକାଲି ଠାରୁ ରିମାଣ୍ଡରେ ଯିବେ । ମଙ୍ଗଳବାର ଦିନ ଉଭୟ ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ କୋର୍ଟରେ ହାଜର କରାଯାଇଥିଲା । କୋର୍ଟରେ ଇଡି ପକ୍ଷରୁ ଜଗବନ୍ଧୁଙ୍କୁ ୧୫ ଦିନ ଓ ଅର୍ଚ୍ଚନାଙ୍କୁ ୭ ଦିନ ପାଇଁ ରିମାଣ୍ଡରେ ନେବାକୁ ଆବେଦନ କରାଯାଇଥିଲା । ରିମାଣ୍ଡ ଆବେଦନ ମଞ୍ଜୁର ହେବା ପରେ ଆଜି ଅର୍ଚ୍ଚନାଙ୍କୁ ଇଡି ନେଇ ଥିବା ବେଳେ ବୁଧବାର ଜଗବନ୍ଧୁକୁ ଜେଲରୁ ରିମାଣ୍ଡରେ ନେବ । ଇଡି ବୁଧବାର ଦିନ ଜଗବନ୍ଧୁଙ୍କୁ ରିମାଣ୍ଡରେ ନେବା ପରେ ଉଭୟ ଦମ୍ପତିଙ୍କୁ ସାମ୍ନାସାମ୍ନି ଜେରା କରିବ । ସୂଚନାଯୋଗ୍ୟ, କମିସନରେଟ ପୁଲିସ ହାତରୁ ମାମଲା ସ୍ଥାନାନ୍ତରିତ ହେଲା ପରେ ଇଡି ପ୍ରଥମ ଥର ପାଇଁ ଅର୍ଚ୍ଚନା ନାଗଙ୍କୁ ୭ ଦିନିଆ ରିମାଣ୍ଡରେ ନେଇଥିଲା । ଏହି ରିମାଣ୍ଡ କାଳରେ ବିଭାଗୀୟ ଅଧିକାରୀମାନେ ପଚରାଉଚରା କରିଥିଲେ ।
