ରେଭେନ୍ସା ନୂତନ ଛାତ୍ରାବାସର ହୀରକ ଜୟନ୍ତୀ
କଟକ : ରେଭେନ୍ସା ବିଶ୍ୱବିଦ୍ୟାଳୟ ନୂତନ ଛାତ୍ରାବାସର ହୀରକ ଜୟନ୍ତୀ ସମାରୋହ ରବିବାର ଅନୁଷ୍ଠିତ ହୋଇଯାଇଛି । ଛାତ୍ରାବାସର ପୁରାତନ ଅନ୍ତେବାସୀ ସଂଘ ଆନୁକୂଲ୍ୟରେ ଏହି ସମାରୋହ ନୂତନ ଛାତ୍ରାବାସ ସମ୍ମୁଖ ଖେଳପଡିଆରେ ଅନୁଷ୍ଠିତ ହୋଇଯାଇଛି । ସମାରୋହରେ ବିଶିଷ୍ଟ ବୈଜ୍ଞାନିକ ତଥା ଓଡିଶୀ ନୃତ୍ୟାଙ୍ଗନା ପଦ୍ମଶ୍ରୀ ପ୍ରିୟମ୍ବଦା ମହାନ୍ତି ହେଜମାଦୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ରେଭେନ୍ସାରେ ସେ ଓଡିଶୀ ନୃତ୍ୟ ଆରମ୍ଭ କରିଥିବା କହିବା ସହିତ ରେଭେନ୍ସା ତାଙ୍କୁ ସବୁବେଳେ ଆକୃଷ୍ଟ କରିଥାଏ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଦିଲୀପ ତିର୍କୀ, ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଂଜୟ କୁମାର ନାୟକ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ନ୍ୟୁ ହଷ୍ଟେଲର ପୂର୍ବତନ ଅଧୀକ୍ଷକ ଓ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହିତ ସଂଘ ପକ୍ଷରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ବିଜେତାମାନଙ୍କୁ ମଧ୍ୟ ପୁସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମରେ ଓଡିଶା ରାଜସ୍ୱ ପର୍ଷଦର ପୂର୍ବତ ସଦସ୍ୟ ଓ ପୁରାତନ ଅନ୍ତେବାସୀ ସଂଘର ସଭାପତି ଅରବିନ୍ଦ ବେହେରା ସଭାପତିତ୍ୱ କରିଥିଲା ବେଳେ ସାଧାରଣ ସଂପାଦକ ଡ. ଜ୍ଞାନରଂଜନ ପଣ୍ଡା ସଂସଦର କାର୍ଯ୍ୟ ବିବରଣୀ ଉପସ୍ଥାପନ କରିଥିଲେ । ଏହି ଅବସରରେ ଛାତ୍ରାବାସର ମୁଖପତ୍ର ପୂରବୀର ସ୍ୱତନ୍ତ୍ର ସଂସ୍କରଣ ଓ ହୀରକ ଜୟନ୍ତୀର ସ୍ମରଣିକା ‘ହୀରକ ଦୀପ୍ତି’ ଉନ୍ମୋଚିତ ହୋଇଥିଲା । ସଭା କାର୍ଯ୍ୟ ପ୍ରାରମ୍ଭରେ ଅନ୍ତେବାସୀମାନେ ଜ୍ଞାନ ଜ୍ୟୋତି ସହ କ୍ୟାମ୍ପସ୍ ପରିକ୍ରମା କରିଥିଲେ ଏବଂ ହୀରକ ଜୟନ୍ତୀ ସ୍ତମ୍ଭକୁ ଅତିଥିମାନେ ଅନାବରଣ କରିଥିଲେ । ଉପସଭାପତି ଡ. ଅଜୟ କୁମାର ମହାନ୍ତି ଧନ୍ୟବାଦ ଦେଇଥିଲେ ।
