ସନ୍ତରଣ ଶିଖିବାକୁ ଯାଇ ବୁଡିଗଲେ ଯୁବକ
କଟକ : ମହାନଦୀର ଯୋବ୍ରା ବ୍ୟାରେଜ ନିକଟରେ ସନ୍ତରଣ ଶିଖୁଥିବା ବେଳେ ଜଣେ ଯୁବକଙ୍କ ପାଣିରେ ବୁଡିଯାଇ ମୃତ୍ୟୁ ଘଟିଛି । ଯୁବକ ଜଣକ ହେଲେ କଟକ ପୀରବଜାର ଅଂଚଳର ସୋହେଲ ଖାନ । ଆଜି ସନ୍ତରଣ ଶିଖୁଥିବା ବେଳେ ପ୍ରାୟ ସକାଳ ୯ଟା ବେଳେ ସୋହେଲ ପାଣିରେ ବୁଡି ଯାଇଥିଲେ । ଖବର ପାଇଁ ଅଗ୍ନିଶମ ବାହିନୀ ପହଂଚି ବହୁତ ଖୋଜାଖୋଜି କରି ପ୍ରାୟ ଏକ ଘଣ୍ଟା ପରେ ସୋହେଲଙ୍କ ମୃତଦେହ ଉଦ୍ଧାର କରିଥିଲା । ଶବ ବ୍ୟବଚ୍ଛେଦ ପାଇଁ ଏସସିବିକୁ ପଠାଯାଇଥିବା ବେଳେ ଜଗତପୁର ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି । ପ୍ରକାଶ ଯେ, ଜଗତପୁରରେ ଖୋଲିଥିବା ଏକ ସନ୍ତରଣ ପ୍ରଶିକ୍ଷଣ କେନ୍ଦ୍ର ପକ୍ଷରୁ ପିଲାମାନଙ୍କୁ ସନ୍ତରଣ ତାଲିମ ଦିଆଯାଉଥିଲା । ସୋହେଲଙ୍କ ସମେତ ପ୍ରାୟ ୨୫ ଜଣ ସନ୍ତରଣ ଶିଖିବାକୁ ଆସିଥିଲେ । ତେବେ ଏତେ ସଂଖ୍ୟକ ପିଲାଙ୍କ ପାଇଁ ମାତ୍ର ଜଣେ ପ୍ରଶିକ୍ଷକ ସେଠାରେ ଉପସ୍ଥିତ ଥିବା ଜଣାପଡିଛି । ପୋଲିସ ଉକ୍ତ ସନ୍ତରଣ କେନ୍ଦ୍ର ଚଳାଉଥିବା ବ୍ୟକ୍ତି ଓ ପ୍ରଶିକ୍ଷକଙ୍କୁ ଥାନାରେ ଅଟକ ରଖି ପଚରା ଉଚରା ଚଳାଇଥିବା ବେଳେ ଏତେ ସଂଖ୍ୟକ ପିଲାଙ୍କୁ ସେଠାରେ ସନ୍ତରଣ ତାଲିମ ଦେବା ବେଳେ କି କି ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ସେନେଇ ପଚରା ଉଚରା ଜାରି ରଖିଥିବା ଜଣାଯାଇଛି ।
