ବାଲେଶ୍ୱର ଜିଲାସ୍ତରୀୟ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍ଯାପିତ
କୃତୀ ପ୍ରତିଯୋଗୀ ଓ ଜାତୀୟସ୍ତରୀୟ ଖେଳାଳୀଙ୍କୁ ସମ୍ବର୍ଦ୍ଧନା
ବାଲେଶ୍ୱର : ବାଲେଶ୍ୱର ଜିଲା କ୍ରୀଡ଼ା ସଂଘ ପକ୍ଷରୁ ସ୍ଥାନୀୟ ପରମିଟ ପଡ଼ିଆରେ ଚାଲିଥିବା ୭୮ତମ ଜିଲାସ୍ତରୀୟ ବାର୍ଷିକ କ୍ରୀଡ଼ା ଉତ୍ସବ ରବିବାର ଉଦ୍ଯାପିତ ହୋଇଯାଇଛି । ଆୟୋଜିତ ଉଦ୍ଯାପନୀ କାର୍ଯ୍ୟକ୍ରମରେ ଏମ୍ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମୁଖ୍ୟଅତିଥି ଭାବେ ଯୋଗଦେଇ କ୍ରୀଡ଼ା ପତାକା ଅବତରଣ ସହ ୩ ଦିନିଆ କ୍ରୀଡ଼ା ପ୍ରତିଯୋଗୀତାର ସମାପନ ଘୋଷଣା କରିଥିଲେ । କ୍ରୀଡ଼ା କ୍ଷେତ୍ରରେ ସଫଳ ପ୍ରଦର୍ଶନ ପାଇଁ ନିୟମିତ ଅଭ୍ୟାସ ଜାରି ରଖିବାକୁ ଖେଳାଳିଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଜିଲା କ୍ରୀଡ଼ା ସଂଘର ପ୍ରସ୍ତାବ କ୍ରମେ ପରିମିଟ ପଡ଼ିଆରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ଏମ୍ପି ପାଣ୍ଠିରୁ ୧୦ଲକ୍ଷ ଅନୁଦାନ ପ୍ରଦାନ ନେଇ ଘୋଷଣା କରିଥିଲେ ।

ଜିଲା କ୍ରୀଡ଼ା ସଂଘର କାର୍ଯ୍ୟକାରୀ ସଭାପତି ଅଧୀପ ଦାସ ଉଦଯାପନୀ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିବା ସହିତ ଜିଲାର ସଫଳ କ୍ରୀଡ଼ାବିତ୍ଙ୍କ ସମ୍ପର୍କରେ ସୂଚନା ଦେଇଥିଲେ । ସଂଘର ସାଧାରଣ ସମ୍ପାଦକ ଅଭୟ ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଉପ-ସଭାପତି ବୀରେନ୍ଦ୍ର ସ୍ୱାଇଁ, ସହ-ସାଧାରଣ ସମ୍ପାଦକ ପଦ୍ମଲୋଚନ ଲେଙ୍କା, କୋଷାଧ୍ୟକ୍ଷ ଅମର ମହାନ୍ତି ପ୍ରମୁଖ କର୍ମକର୍ତ୍ତାମାନେ ଯୋଗଦେଇ ଜିଲା କ୍ରୀଡ଼ା କ୍ଷେତ୍ରକୁ ଆଗେଇ ନେବାରେ ଆଥଲେଟିକ୍ ଆସୋସିଏସନର କାର୍ଯ୍ୟଧାରା ସମ୍ପର୍କରେ ସୂଚନା ଦେଇଥିଲେ । କ୍ରୀଡ଼ା ସଂଘର ଯୁଗ୍ମ ସମ୍ପାଦକ ଜଗଦୀଶ ବେହେରା, ସଞ୍ଜୟ ଲେଙ୍କା, ନିମାଇ ରାଉତରାୟ, ସୁଜୟ ଆଚାର୍ଯ୍ୟ, କାର୍ତ୍ତିକ ନାୟକ, ରବୀନ୍ଦ୍ର କୁମାର ସାହୁ, ହରେନ ଚନ୍ଦ୍ର ରଣା, ସାଦିକ୍ ଅଲ୍ଲୀ ଖାଁ, ଗୌରୀ ଶଙ୍କର ସାହାଣୀ, ରବିନ୍ ମିତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ବିଭିନ୍ନ ବିଭାଗ କ୍ରୀଡ଼ା ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ଅତିଥି ପୁରସ୍କୃତ କରିଥିଲେ । ଏଥିସହିତ ଜାତୀୟ ଓ ଆନ୍ତର୍ଜାତିକ ସ୍ତରର ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିବା ବାଲେଶ୍ୱରର ସଫଳ କ୍ରୀଡ଼ାବିତ୍ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଜିଲାସ୍ତରୀୟ କ୍ରୀଡ଼ା ଉତ୍ସବରୁ ମନୋନୀତ ଶ୍ରେଷ୍ଠ ପ୍ରତିଯୋଗୀମାନେ ରାଜ୍ୟସ୍ତରୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିବେ ବୋଲି ସଂଗଠନର କର୍ମକର୍ତ୍ତା ସୂଚନା ଦେଇଛନ୍ତି ।
