ଲେଣ୍ଡୁରା ଭଗବାନପୁର ଗ୍ରାମରେ ସଶସ୍ତ୍ର ଲୁଟ୍ ଓ ହତ୍ୟା ଘଟଣା ହତ୍ୟାକାଣ୍ଡ ପରେ ଡ଼କାୟତିର ରୂପ ଦେବାକୁ ଚେଷ୍ଟା କରିଥିଲା ଅଭିଯୁକ୍ତ
କଟକ : କଟକ ଜିଲ୍ଲା ନେମାଳ ଥାନା ଅନ୍ତର୍ଗତ ଲେଣ୍ଡୁରା ଭଗବାନପୁର ଗ୍ରାମରେ ୮ ତାରିଖ ବିଳମ୍ବିତ ରାତିରେ ସଂଗଠିତ ସଶସ୍ତ୍ର ଲୁଟ୍ ଓ ହତ୍ୟା ଘଟଣା ଭିନ୍ନ ମୋଡ଼ ନେଇଛି । ପ୍ରଥମେ ଡ଼କାୟତି ପାଇଁ ହତ୍ୟାକାଣ୍ଡ ଘଟିଥିବା ପୋଲିସ ସନ୍ଦେହ କରୁଥିବା ବେଳେ ପରବର୍ତି ସମୟରେ ମାମଲା ଭିନ୍ନ ମୋଡ଼ ନେଇଛି । ଜେଜେବାପା ହୃଷୀକେଶ ମୁଦୁଲିଙ୍କୁ ହତ୍ୟା ଓ ଜେଜିମା କନକଲତା ମୁଦୁଲିଙ୍କୁ ଆକ୍ରମଣ ପଛରେ ନାତିର ହାତ ଥିବା ସୂଚନା ମିଳିଛି । ହତ୍ୟାକାଣ୍ଡ ପରେ ଏହାକୁ ଡ଼କାୟତିର ରୂପ ଦେବାକୁ ଚେଷ୍ଟା କରିଥିଲା ଅଭିଯୁକ୍ତ । ଟଙ୍କା ଓ ସୁନା ହାତେଇବା ଲକ୍ଷ୍ୟରେ ନାବାଳକ ନାତି ଏପରି କରିଥିବା ପୋଲିସ ନିକଟରେ ସ୍ୱୀକାର କରିଛି । ସପ୍ତାହେ ତଳୁ ସେ ଏହି ଲୁଟ୍ ଯୋଜନା କରିଥିଲା । ଲୁଟ୍ ବେଳେ ଜେଜେବାପା ଓ ଜେଜିମା ବିରୋଧ କରିବାରୁ ଅଭିଯୁକ୍ତ ନାତି କଟୁରୀରେ ହାଣିଥିଲା । ପୋଲିସର ଛାନଭିନ୍ ପରେ ଏହା ସ୍ପଷ୍ଟ ହୋଇଛି । ଅଭିଯୁକ୍ତ ନାବାଳକ ବୃଦ୍ଧ ଦମ୍ପତିଙ୍କ ପୁତୁରାର ପୁଅ ହୋଇଥିବା ସୂଚନା ମିଳିଛି । ପ୍ରକାଶ ଥାଉକି, କଟକ ଜିଲ୍ଲା ନେମାଳ ଥାନା ଅନ୍ତର୍ଗତ ଲେଣ୍ଡୁରା ଭଗବାନପୁର ଗ୍ରାମରେ ୮ ତାରିଖ ବିଳମ୍ବିତ ରାତିରେ ଘଟିଥିଲା ଏହି ହତ୍ୟାକାଣ୍ଡ । ଆକ୍ରମଣରେ ସ୍ୱାମୀ ହୃଷୀକେଶଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ କନକଲତା ଗୁରୁତର ହୋଇଥିଲେ । ଗୁରୁତର ବୃଦ୍ଧାଙ୍କୁ ଚିକିତ୍ସା ନିମନ୍ତେ କଟକ ବଡ ମେଡ଼ିକାଲରେ ଭର୍ତି କରାଯାଇଥିଲା ।
