ଇସ୍କଫ୍ ଜାତୀୟ ସମ୍ମିଳନୀରେ ବିଶ୍ୱ ଶାନ୍ତି ଓ ମୈତ୍ରୀ ପାଇଁ ଆହ୍ୱାନ
କଟକ : ଭାରତୀୟ ସାଂସ୍କୃତିକ ସହଯୋଗ ମୈତ୍ରୀ ସମିତିର ୨୩ତମ ଜାତୀୟ ସମ୍ମିଳନୀ ଆଜି କଳାବିକାଶ କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀକୁ ଉଦଘାଟନ କରି ବିଶିଷ୍ଟ କବି ଜୟନ୍ତ ମହାପାତ୍ର କହିଲେ, ବିଶ୍ୱର ସମସ୍ତ ଜନଗଣଙ୍କ ମୁହଁରେ କେବଳ ହସ ଫୁଟିପାରିବ, ଯଦି ସମସ୍ତ ପ୍ରକାର ବିଭେଦ, ବୈଷମ୍ୟ, ଅନ୍ୟାୟ ଓ ଅସହିଷ୍ଣୁତା ଦୂର ହୋଇପାରିବ । ଆମ ଦେଶରେ ଯେତେବେଳେ ଅସହିଷ୍ଣୁତାର ପରିପ୍ରକାଶ ହୋଇଛି ଦେଶର କବି, ସାହିତ୍ୟିକ, ବୁଦ୍ଧିଜୀବୀ ଓ ସାଧାରଣ ଜନତା ନିରବ ହୋଇ ରହିନାହାନ୍ତି । ଏହାର ପ୍ରତିବାଦ କରିଛନ୍ତି । ଶାନ୍ତି, ମୈତ୍ରୀ, ଭାତ୍ରୁତ୍ୱ ଓ ସାଂସ୍କୃତିକ ସହଯୋଗ ମଧ୍ୟରେ ଇସ୍କଫ୍ ବିଶ୍ୱ ଶାନ୍ତି ପାଇଁ ଉଦ୍ୟମ କରୁଥିବା ଅତ୍ୟନ୍ତ ପ୍ରଶଂସନୀୟ । ଭାନୁଦେବ ଦତ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ମିଳନୀରେ ସମ୍ମାନିତ ଅତିଥି ଭାବେ ବିଶ୍ୱ ଶାନ୍ତି ପରିଷଦର ସଭାପତି ପଲ୍ଲବ ସେନ୍ଗୁପ୍ତ ଯୋଗଦେଇ କହିଲେ, ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ ସାଂସ୍କୃତିକ ସହଯୋଗ ବୃଦ୍ଧି ପାଇଲେ ପୃଥିବୀରୁ ଯୁଦ୍ଧ ବନ୍ଦ୍ ହେବ । ଆମ ଦେଶ ପଡୋଶୀ ରାଷ୍ଟ୍ରମାନଙ୍କ ସହିତ ସଂପର୍କକୁ ବୃଦ୍ଧି କରିବା ଏବଂ ସେ ଦେଶର ଜନସାଧାରଣଙ୍କ ସହ ସାଂସ୍କୃତିକ ସହଯୋଗ ସ୍ଥାପନ କରିପାରିଲେ ଶତ୍ରୁତା ଦୂର ହେବ । ଶେଷରେ ସେ କହିଲେ ଆମ ଦେଶ ବୁଦ୍ଧ, ଗାନ୍ଧୀ, ନେହେରୁ ଓ ଆମ୍ବେଦକରଙ୍କ ଭାରତ । ଏହାକୁ ପରିବର୍ତ୍ତନ କରିବାକୁ ଚାଲିଥିବା ଉଦ୍ୟମ ବିରୁଦ୍ଧରେ ଦେଶବାସୀଙ୍କୁ ଜାଗ୍ରତ ହେବାକୁ ସେ ଆହ୍ୱାନ ଜଣାଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ନ୍ୟାୟମୂର୍ତ୍ତି ମନୋରଂଜନ ମହାନ୍ତି କହିଲେ, ଭାରତବର୍ଷର ସମ୍ବିଧାନ ଉପରେ ଆକ୍ରମଣ ବିଗତ କେତେ ବର୍ଷ ହେବ ଚାଲିଛି । ସଂସଦରେ ଜାଲିଆତି କରାଯାଇ କିଛି ଧାରାକୁ ଉଚ୍ଛେଦ କରାଯାଇଛି । ଏହା ବିରୋଧରେ ଦେଶସାରା ପ୍ରତିବାଦ ହେବା ଆବଶ୍ୟକ । ପ୍ରାରମ୍ଭରେ ଅଭ୍ୟର୍ଥନା ସମିତିର ସଭାପତି ବିଧାୟକ ଶଶୀଭୂଷଣ ବେହେରା ସ୍ୱାଗତ ଭାଷଣ ଦେଇଥିଲେ ଓ ସାଧାରଣ ସଂପାଦକ ବିଜୟ କୁମାର ପଢିହାରୀ ଶୋକ ପ୍ରସ୍ତାବ ଆଗତ କରିଥିଲେ । ଅନ୍ୟ ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ବିଧାୟକ ମହମ୍ମଦ ମୋକିମ, ମେୟର ସୁବାସ ସିଂ, ସିପିଆଇ ଜାତୀୟ ସଂପାଦକ ରାମକୃଷ୍ଣ ପଣ୍ଡା, ହିନ୍ଦ୍ ସେବକ ସଂଘର ସଭାପତି ଦାମୋଦର ସାହୁ, ବିଶ୍ୱ ଶିକ୍ଷକ ସଂଘର ସଭାପତି ପ୍ରଫେସର ଅମୀୟ କୁମାର ମହାନ୍ତି, ସିପିଆଇ ରାଜ୍ୟ ସଂପାଦକ ଅଭୟ ସାହୁ, ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳ ପ୍ରମୁଖ ସମ୍ମିଳନୀକୁ ଶୁଭେଚ୍ଛା ଜଣାଇ ବାର୍ତ୍ତା ରଖିଥିଲେ । ମଂଚରେ ସଭାପତି ମଣ୍ଡଳୀର ସଦସ୍ୟ, ପୂର୍ବତନ ସାଂସଦ ଅଜିତ ପାଶା, ପୂର୍ବତନ ବିଧାୟକ ଏସ ରାଧାକୃଷ୍ଣନ ଉପସ୍ଥିତ ଥିଲେ ଓ ୧୬ଟି ରାଜ୍ୟରୁ ୨୦୦ରୁ ଊର୍ଦ୍ଧ୍ୱ ପ୍ରତିନିଧି ଏହି ସମ୍ମିଳନୀରେ ଯୋଗଦେଇଛନ୍ତି । ଆସନ୍ତା କାଲି ଏହି ସମ୍ମିଳନୀ ଉଦ୍ଯାପିତ ହେବ । ଶେଷରେ ଆଇନଜୀବୀ ଅଗସ୍ତି କାନୁନଗୋ ଧନ୍ୟବାଦ ଅର୍ପଣ କରିଥିଲେ ।
