ବାରବାଟୀରେ ହକି ବିଶ୍ୱକପ୍ ଉତ୍ସବ ପାଇଁ ପ୍ରସ୍ତୁତି ତଦାରଖ କଲେ କ୍ରୀଡା ସଚିବ ଓ ସିଏମସି କମିଶନର ୨୫ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ ନିର୍ଦ୍ଦେଶ
କଟକ : ୨୦୨୩ ଜାନୁଆରୀ ୧୩ରୁ ଭୁବନେଶ୍ୱର ଓ ରାଉରକେଲାରେ ପୁରୁଷ ହକି ବିଶ୍ୱ କପ୍ ଖେଳାଯିବ । ଜାନୁଆରୀ ୧୧ରେ କଟକ ବାରବାଟୀ ଷ୍ଟାଡିୟମରେ ଏହି ହକି ବିଶ୍ୱକପ୍ ଉଦଘାଟନୀ ଉତ୍ସବ ଧୂମ୍ଧାମରେ ପାଳନ କରାଯିବ । ସେଥିପାଇଁ କଟକ ସହରରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । କଟକ ମହାନଗର ନିଗମ(ସିଏମସି) ପକ୍ଷରୁ ରିଙ୍ଗ୍ବନ୍ଧ ରାସ୍ତାର ସୈାନ୍ଦର୍ଯ୍ୟକରଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଥିବା ବେଳେ ଟ୍ରାଫିକ ବ୍ୟବସ୍ଥାକୁ ସଂଗଠିତ କରିବା ପାଇଁ ରାସ୍ତାଘାଟର ଜବର ଦଖଲ ଉଚ୍ଛେଦ ଜାରି ରହିଛି । ଏହି ପ୍ରସ୍ତୁତି କାର୍ଯ୍ୟର ତଦାରଖ ଲାଗି ଶନିବାର ପୂର୍ବାହ୍ନରେ ରାଜ୍ୟ କ୍ରୀଡା ଓ ଯୁବ ସେବା ସଚିବ ଆର ଭିନିଲ କ୍ରିଷ୍ଣା ବାରବାଟୀ ଷ୍ଟାଡିୟମ ପରିଦର୍ଶନ କରିଛନ୍ତି । ତାଙ୍କ ସହ ଆରଡିସି ଡ. ସୁରେଶ ଚନ୍ଦ୍ର ଦଳାଇ, ସିଏମସି କମିଶନର ନିଖିଲ ପୱନ କଲ୍ୟାଣ କାର୍ଯ୍ୟ ଅନୁଧ୍ୟାନ କରିବା ସହିତ ଅଗ୍ରଗତି ସଂପର୍କରେ ତଦାରଖ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଓସିଏ ସମ୍ମିଳନୀ କକ୍ଷରେ ଶ୍ରୀ ଭିନିଲ କ୍ରୀଷ୍ଣାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ । ସହରର ପ୍ରବେଶ ଓ ପ୍ରସ୍ଥାନ ପଥରେ ସ୍ୱତନ୍ତ୍ର ସାଜସଜ୍ଜା କରାଯିବା ସହ ହକିର ବ୍ରାଣ୍ଡିଂକୁ ରାସ୍ତାର ଉଭୟ ପାଶ୍ୱର୍ରେ ପ୍ରଦର୍ଶନ ପାଇଁ ସ୍ଥିର କରାଯାଇଥିଲା । ବିଭିନ୍ନ ଦେଶର ଖେଳାଳି ଓ ଦର୍ଶକ ଏହି ଉତ୍ସବରେ ଯୋଗଦେବାର ରହିଛି । ତା’ଡ଼ଛା ବହୁ ସେଲିବ୍ରେଟି ଓ ବଲିଉଡ କଳାକାର ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ବର୍ତ୍ତମାନ ସୁଦ୍ଧା ଶିଖରପୁର ଠାରୁ ବିଡାନାସୀ ପର୍ଯ୍ୟନ୍ତ ରାସ୍ତାର ସୈାନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ହୋଇଛି । ରାସ୍ତା ନବୀକରଣ, ମରାମତି, ରଙ୍ଗୀନ ଫୁଟପାଥ୍ ନିର୍ମାଣ, ମିଡଭର୍ସ ସୈାନ୍ଦର୍ଯ୍ୟକରଣ ଓ ଆଗନ୍ତୁକଙ୍କ ପାଇଁ ସିମେଣ୍ଟ ବେଂଚ ସହ ଖାଲି ସ୍ଥାନରେ ପାର୍କ ଓ ଚିତ୍ତବିନୋଦନ ପଏଣ୍ଟ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଉତ୍ସବର କାର୍ଯ୍ୟକ୍ରମଗୁଡିକ ଯେପରି ଆକର୍ଷଣୀୟ ହେବ ସେଥିପାଇଁ ଗୁରୁତ୍ୱ ଦିଆଯିବ । ଷ୍ଟାଡିୟମର ଭିତରପଟ ବିଭନ୍ନ ଉନ୍ନୟନମୂଳକ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରାଯିବ ବୋଲି ନିଷ୍ପତି ନିଆଯାଇଛି । ସେହିପରି ସଂସ୍କୃତି, ପରମ୍ପରା ଓ କଳାର ବିଭିନ୍ନ ଥିମ୍କୁ ନେଇ ରାସ୍ତା କଡରେ ପେଣ୍ଟିଂ ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି । ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ସିଏମସି କମିଶନର ଶ୍ରୀ କଲ୍ୟାଣ, ଏଡିସିପି ଅନିଲ ମିଶ୍ର, ସିଡିଏମଓ ଡା. ସତ୍ୟବ୍ରତ ଛୋଟରାୟ, ଟିପିସିଓଡିଏଲ କଟକ ଅଧୀକ୍ଷଣ ଯନ୍ତ୍ରୀ, ପିଏଚଇଡି ଅଧୀକ୍ଷଣ ଯନ୍ତ୍ରୀ, ଜାତୀୟ ରାଜପଥ ପ୍ରାଧିକରଣ ଅଧିକାରୀ, ଓଡିଶା ଅଲିମ୍ପିକ ଆସୋସିସନର କର୍ମକର୍ତ୍ତା, ଓଏଫଡିସି ଅଧିକାରୀ, ଇଆଣ୍ଡଆଇଟି ବିଭାଗ ପ୍ରତିନିଧି, ଅଗ୍ନିଶମ ସେବା ସଂସ୍ଥା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
