୨୦୩୦ ଯୋଜନା କାର୍ଯ୍ୟ ଖସଡା ପ୍ରସ୍ତୁତି ନିମନ୍ତେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
କଟକ : ନିରନ୍ତର ବିକାଶର ଲକ୍ଷ୍ୟଧାର୍ଯ୍ୟ ନିମନ୍ତେ ସାମାଜିକ, ଅର୍ଥନୈତିକ ଓ ପରିବେଶ ସମ୍ବନ୍ଧୀୟ ବିଭିନ୍ନ ଦିଗ ସହିତ ନିର୍ଭରଶୀଳ । ବିଶେଷ ଭାବେ ସାମାଜିକ ଅବସ୍ଥା, ଅର୍ଥନୈତିକ ବ୍ୟବସ୍ଥା ଓ ଅନୁକୂଳ ପରିବେଶ ଏହାକୁ ଇନ୍ଧନ ଯୋଗାଇଥାଏ । ମୁଖ୍ୟତଃ ନିରନ୍ତର ବିକାଶର ଲକ୍ଷ୍ୟ ୫’ପି’ ଯଥା ଜନସାଧାରଣ, ଭୂଖଣ୍ଡର ଅବସ୍ଥିତି, ସମୃଦ୍ଧି, ଶାନ୍ତି ଓ ସହଭାଗିତା ଉପରେ ପର୍ଯ୍ୟବେସିତ । ନିରନ୍ତର ବିକାଶ ନିମନ୍ତେ ଲକ୍ଷ୍ୟ ସ୍ଥଳରେ ପହଂଚିବା ପାଇଁ ବୈଶ୍ୱିକ, ଜାତୀୟ ଓ ଉପଜାତୀୟ ସ୍ତରରେ ଏହାକୁ ପରିଚାଳନା ନିମନ୍ତେ ଏଥିସହ ସଂପୃକ୍ତ ୧୬୯ଟି ସୂଚକାଙ୍କ ମଧ୍ୟ ନିର୍ଦ୍ଧାରିତ ହୋଇଛି ବୋଲି ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଯୋଜନା ଓ ସଂଯୋଜନା ବିଭାଗ ଦ୍ୱାରା ପ୍ରାୟୋଜିତ ଓ ଜିଲ୍ଲା ଯୋଜନା ପରିସଂଖ୍ୟାନ ଶାଖା ଦ୍ୱାରା ଆୟୋଜିତ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିରରେ ଯୋଗଦେଇ ଅତିଥିମାନେ ଉପରୋକ୍ତ ମନ୍ତବ୍ୟ ପ୍ରଦାନ କରିଥିଲେ । ବୈଠକରେ ଯୋଗଦେଇ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଅମ୍ବର କୁମାର କର କହିଲେ ଯେ, ପ୍ରତ୍ୟେକ ଯୋଜନା ପ୍ରଣୟନ କରିବା ପୂର୍ବରୁ ବାସ୍ତବ କ୍ଷେତ୍ରରେ ଏହାର ପ୍ରତିଫଳନକୁ ନେଇ ସଠିକ ପରିସଂଖ୍ୟାନର ଆବଶ୍ୟକତା ରହିଛି । ସଂଗୃହୀତ ତଥ୍ୟକୁ ଆଧାର କରି ଯୋଜନାର ରୂପରେଖକୁ ସ୍ଥିର କରାଗଲେ ତାହା ଉପଭୋକ୍ତାଙ୍କ ଦ୍ୱାରା ଗ୍ରହଣୀୟ ହୋଇଥାଏ । ୨୦୩୦-ଭିଜନ ଡକ୍ୟୁମେଣ୍ଟ ନିମନ୍ତେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏ ଦିଗରେ ସମସ୍ତଙ୍କୁ ଦିଗଦର୍ଶନ ଦେବ ବୋଲି ସେ ଆଶା ପ୍ରକାଶ କରିଥିଲେ । ଉପଭୋକ୍ତାଙ୍କ ବ୍ୟୟ ସାମର୍ଥକୁ ନେଇ ସ୍ୱଚ୍ଛ ଶକ୍ତି ଉତ୍ପାଦନ, ସାମାଜିକ ଅସମାନତା ଦୂରୀକରଣ ଓ ଆର୍ôଥକ ପ୍ରଗତି ଦିଗରେ ଯୋଜନାମାନ ପ୍ରସ୍ତୁତ କରି ୨୦୩୦-ଭିଜନ ମାଧ୍ୟମରେ କାର୍ଯ୍ୟକାରୀ କରିବାକୁ ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କହିବା ସହିତ ଜିଲ୍ଲାରେ ପ୍ରଣିତ ହେଉଥିବା ଯୋଜନାଗୁଡିକରେ କେହି ବି ଜଣେ ଉପଭୋକ୍ତା ଉନ୍ନୟନର ମୁଖ୍ୟ ସ୍ରୋତରୁ ଯେପରି ବାଦ୍ ନ ପଡନ୍ତି ସେ ଦିଗରେ ବିଭାଗୀୟ ଅଧିକାରୀମାନେ ଦୃଷ୍ଟି ଦେବା ଆବଶ୍ୟକ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶିବୋ ଟୋପ୍ନୋ, ଯୁଗ୍ମ ନିର୍ଦ୍ଦେଶକ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଡାକ୍ତର ଅର୍ଘ୍ୟ ପ୍ରଧା, ଉପ ନିର୍ଦ୍ଦେଶକ ଯୋଜନା ଓ ପରିସଂଖ୍ୟାନ ବିଶ୍ୱରଂଜନ ଦାଶ, ତାଲିମ ପ୍ରଦାନକାରୀ ରାଜ୍ୟ ଯୋଜନା ଓ ସଂଯୋଜନା ବିଭାଗ ସହକାରୀ ନିର୍ଦ୍ଦେଶିକା ଅଳକା ଜେନା, ସାମାଜିକ ଉନ୍ନୟନ କ୍ଷେତ୍ର ମୁଖ୍ୟ ଡ. ରମେଶ ଚେଲାନ, ଏସଡିଜି ବିଶେଷଜ୍ଞ ଭିକ୍ଟୋରିଆ ଭାଇମୁନି, କାର୍ଯ୍ୟକ୍ରମ ପରିଚାଳକ ଜିଲ୍ଲାପରିଷଦ ଅବଦୁଲ ରହମାନ ଖାନ, ସଂଯୁକ୍ତ ରାଷ୍ଟ୍ର ଉନ୍ନୟନ ପ୍ରକଳ୍ପ ରାଜ୍ୟ ମୁଖ୍ୟ ଅଭୁ ମିଶ୍ର ପ୍ରମୁଖ ମଂଚାସୀନ ଥିବା ବେଳେ ଯୋଗାଯୋଗ ବିଶାରଦ ସୋନାଲୀ ମହାପାତ୍ର ନିରନ୍ତର ଉନ୍ନୟନ ଲକ୍ଷ୍ୟ-୨୦୩୦ ପ୍ରକଳ୍ପର କାର୍ଯ୍ୟ ଖସଡା ପ୍ରସ୍ତୁତି ନିମନ୍ତେ ପରିସଂଖ୍ୟାନ ଆଧାରରେ ପାୱାର ପଏଣ୍ଟ ଉପସ୍ଥାପନ ମାଧ୍ୟମରେ ବିସ୍ତୃତ ତାଲିମ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସତ୍ୟବ୍ରତ ଛୋଟରାୟ, ଡେପୁଟି କଲେକ୍ଟର ଭୁବନାନ୍ଦ ପଟ୍ଟନାୟକ, ପ୍ରିୟଦର୍ଶିନୀ ଜେନା, ଶ୍ରମ ଅଧିକାରୀ ପ୍ରସନ୍ନ କୁମାର ପ୍ରଧାନ, ସମାଜ ମଙ୍ଗଳ ଅଧିକାରୀ ସବିତା ରାଉତ, ମଧୁମିତା ମହାପାତ୍ର, ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ମିଶନ ଶକ୍ତି ଜିଲ୍ଲା ସଂଯୋଜିକା ସ୍ୱାଗତିକା ପରିଡାଙ୍କ ସମେତ ସମସ୍ତ ବିଡିଓ ତଥା ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଏବଂ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାମାନେ ଯୋଗଦେଇଥିଲେ ।
