ରାଜସ୍ୱ କମିଶନର କ୍ଷେତ୍ର ପରିଦର୍ଶନ ସହ ସମୀକ୍ଷା କଲେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ
କେନ୍ଦୁଝର : ଉତରାଂଚଳ ରାଜସ୍ୱ କମିଶନର ଡଃ. ସୁରେଶ ଚନ୍ଦ୍ର ଦଳାଇ ଚଳିତ ଡିସେମ୍ବର ୭ ତାରିଖରୁ କେନ୍ଦୁଝର ଜିଲ୍ଲା ଗସ୍ତରେ ଆସି କ୍ଷେତ୍ର ପରିଦର୍ଶନ ସହ ବିଭିନ୍ନ ପ୍ରକଳ୍ପ , କାର୍ଯ୍ୟକ୍ରମର ତଦାରଖ କରିଥିଲେ । ଡିସେମ୍ବର ୮ ତାରିଖ ଗୁରୁବାର ଦିନ ଜିଲ୍ଲା ଚିକିତ୍ସାଳୟ ପରିଦର୍ଶନରେ ଯାଇ ବିଭିନ୍ନ ୱାର୍ଡ , ନବଜାତ ଶିଶୁ ଯତ୍ନ ୟୁନିଟ ଓ ପରିସର ବୁଲି ଦେଖିଥିଲେ । ରୋଗୀ ,ଡାକ୍ତର ଓ ସ୍ୱାସ୍ଥ୍ୟ ବିଭାଗୀୟ କର୍ମକର୍ତା / କର୍ମଚାରୀ ଙ୍କ ସହ ବାର୍ତାଳାପ କରି ଯୋଗାଇ ଦିଆଯାଉଥିବା ସ୍ୱାସ୍ଥ୍ୟ ସେବା , ଜିଲ୍ଲା ଚିକିତ୍ସାଳୟର ପରିଷ୍କାର ପରିଛନ୍ନତା ଓ ଔଷଧ ବିତରଣ ସମ୍ପର୍କରେ ପଚାରି ବୁଝିଥିଲେ । ସେଠାରୁ କାନପୁର ଜଳସେଚନ ପ୍ରକଳ୍ପକୁ ଯାଇ ସେଠାରେ ନିର୍ମାଣ କାର୍ଯ୍ୟ ତଦାରଖ କରିବା ସହ ସମୀକ୍ଷା କରିଥିଲେ । ବିଶେଷତଃ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ନଦୀବନ୍ଧ ନିର୍ମାଣ କାର୍ଯ୍ୟ ଶେଷ କରିବା , ଜାତୀୟ ରାଜପଥ କର୍ତୃପକ୍ଷ ଆନୁକୁଲ୍ୟରେ ନିର୍ମାଣାଧୀନ ପୋଲ ନିର୍ମାଣ ଶେଷ କରିବା , ନଦୀବନ୍ଧର ପ୍ଲାଷ୍ଟିକ କଂକ୍ରିଟ କାର୍ଯ୍ୟ , ବାକିଥିବା ଜମି ଅଧିଗ୍ରହଣ ଓ ଥଇଥାନ କାର୍ଯ୍ୟକ୍ରମ କୁ ଶେଷ କରିବା ପାଇଁ ସମ୍ପୃକ୍ତ କର୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ସେଠାରୁ ଯୋଡା ଗସ୍ତ କରି ସେଠାରେ ଫ୍ଲାଇ ଓଭର ନିର୍ମାଣ କାର୍ଯ୍ୟ ତଦାରଖ କରିଥିଲେ । ଏତଦ ବ୍ୟତୀତ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ତତ୍ୱାବଧାନରେ ପରିଚାଳିତ ଆଦିବାସୀ ବିକାଶ ସମିତି ପରିଦର୍ଶନରେ ଯାଇଥିଲେ । ଏହାପରେ ଜିଲ୍ଲା ସଦର ମହକୁମାକୁ ଫେରି ଉତରାଂଚଳ ରାଜସ୍ୱ କମିଶନର ଡଃ ଦଳାଇ ଜିଲ୍ଲା ମୂଖ୍ୟାଳୟ ରେ ବିଭିନ୍ନ ବିଭାଗର କାର୍ଯ୍ୟ ।ବଳୀ ତଥା ରାଜସ୍ୱ ବିଭାଗର କାର୍ଯ୍ୟକ୍ରମ ତଦାରଖ କରିବା ସହିତ ବିଭିନ୍ନ ଉନ୍ନୟନ ଓ କଲ୍ୟାଣମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ । ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ ଓ ଲୋକାଭିମୁଖୀ କରିବା ପାଇଁ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଶୁକ୍ରବାର ଦିନ ରାଜସ୍ୱ କମିଶନର କ୍ଷେତ୍ର ପରିଦର୍ଶନ କରିବା ସହ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟ କାର୍ଯ୍ୟ ।ବଳୀ ସମୀକ୍ଷା କରିଥିଲେ ।ଜିଲ୍ଲାପାଳ ଆଶିଷ ଠାକରେ , ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଯଦୁମଣି ମହଲା , ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ସୁଷମା ବଲୁଙ୍ଗ, ଜିଲ୍ଲା ସହରାଂଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଘାସିରାମ ମୁର୍ମୁଙ୍କ ସମେତ ବିଭିନ୍ନ ଉପକଣ୍ଠର ଉପଜିଲ୍ଲାପାଳ ତଥା ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଉତରାଂଚଳ ରାଜସ୍ୱ କମିଶନରଙ୍କୁ ନିଜ ନିଜ ବିଭାଗୀୟ କାର୍ଯ୍ୟକ୍ରମ / ସମ୍ପର୍କରେ ଅବଗତ କରାଇଥିଲେ ।
