ବାଦାମପାହାଡରୁ କେନ୍ଦୁଝରକୁ ହେବ ରେଳ ସଂଯୋଗ
କେନ୍ଦୁଝର : କେନ୍ଦୁଝର ଜିଲାରୁ ମୟୂରଭଞ୍ଜ ଜିଲା ବାଦାମପାହାଡକୁ ରେଳଲାଇନ୍ ସଂଯୋଗ ହେବ । ଦୀର୍ଘ ୮୦ କିମି ନୂଆ ରେଳଲାଇନ୍ କାମର ଫାଇନାଲ ଲୋକେଶନ ସର୍ଭେ ପାଇଁ ରେଳବାଇ ବିଭାଗ କୋଲକାତା ଦକ୍ଷିଣ ପଶ୍ଚିମତଟ ରେଳବାଇର ସାଧାରଣ ପ୍ରବନ୍ଧକଙ୍କୁ ଚିଠି ଲେଖିଛନ୍ତି । ଏହି ସର୍ଭେ ପାଇଁ ୨୦୦ କୋଟି ଟଙ୍କା ଅନୁମୋଦିତ ହୋଇଥିବା ଜଣାପଡିଛି । ଏହାସହ ୬୨ କିମି ଦୀର୍ଘ ବାଙ୍ଗିରିପୋଷି- ଗୋରୁମହିଶାଣି ରେଳଲାଇନ୍ ସର୍ଭେ ବାବଦକୁ ୧୫୫ ଲକ୍ଷ ଅନୁମୋଦିତ ହୋଇଛି । ଏହା ଦ୍ୱାରା କେନ୍ଦୁଝର ଓ ମୟୂରଭଞ୍ଜ ଜିଲା ମଧ୍ୟରେ ଯୋଗାଯୋଗ ସୃଦୃଢ ହେବା ସହ ଉଭୟ ଜିଲାବାସୀ ବିଶେଷ କରି ଆଦିବାସୀମାନଙ୍କ ଅର୍ଥନୈତିକ ବିକାଶ ହୋଇପାରିବ ବୋଲି ମତ ପ୍ରକାଶ ପାଇଛି । ଅନ୍ୟାନ୍ୟ ରେଳ ପ୍ରକଳ୍ପ ସହିତ ଏହି ରେଳଲାଇନ୍ ପ୍ରକଳ୍ପ ପାଇଁ ଦୀର୍ଘ ବର୍ଷ ହେଲା ଦାବି ହୋଇ ଆସୁଥିଲା ବେଳେ ଏହା ଦ୍ୱାରା ଜିଲା ରେଳବାଇ କ୍ଷେତ୍ରରେ ଆଉ ଏକ ପାଦ ଆଗକୁ ବଢିବ ବୋଲି ଯୁବ ନେତା ହିମାଂଶୁ ପୁହାଣ କହିଛନ୍ତି ।
