ରାଜ୍ୟପାଳଙ୍କ ହରିହରାନନ୍ଦ ବାଳାଶ୍ରମ ଗସ୍ତ
କେନ୍ଦ୍ରାପଡ଼ା : ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ ଦିନିକିଆ କେନ୍ଦ୍ରାପଡା ଗସ୍ତରେ ଆସି ଅରୁଆ ହରିହରାନନ୍ଦ ବାଳାଶ୍ରମ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଗୁରୁବାର ମଧ୍ୟାହ୍ନରେ କେନ୍ଦ୍ରାପଡା ସକ୍ରିଟ ହାଉସ ଠାରେ ପହଁଚିବା ପରେ ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ, ଏସ୍ପି ସନ୍ଦିପ ସମ୍ପଦ ମଡକର ପ୍ରମୁଖ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ନ୍ଧନା ଜଣାଇଥିଲେ । ଅରୁଆ ସ୍ଥିତ ହରିହରାନନ୍ଦ ବାଳାଶ୍ରମର ଅଧ୍ୟକ୍ଷ ଡ଼ଃ ମଳୟ ନନ୍ଦ ରାଜ୍ୟପାଳଙ୍କୁ ସ୍ୱାଗତ କରିବା ପରେ ରାଜ୍ୟପାଳ ଶ୍ରୀ ଲାଲ ବାଳାଶ୍ରମର ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଜ୍ଞାନ ଓ ସାମାଜିକ ବିଜ୍ଞାନ ସମ୍ପର୍କିତ ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ । ପରେ ପରେ ସ୍ୱାମୀ ସମର୍ପଣାନନ୍ଦ ଜୀ ମହାରାଜ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ୨୦୨୧-୨୨ ଶିକ୍ଷା ବର୍ଷରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନଙ୍କ ସଂପର୍କରେ ରାଜ୍ୟପାଳଙ୍କୁ ଅବଗତ କରାଯାଇ ଥିଲା । ଭଲ ମଣିଷ, ଉଚ୍ଚାକାଂକ୍ଷୀ, ଆଦର୍ଶବାଦୀ, ଚରିତ୍ରବାନ୍ ଓ ରାଷ୍ଟ୍ରଭକ୍ତ ହେବାକୁ ଉପସ୍ଥିତ ଥିବା ଛାତ୍ରଛାତ୍ରୀମାନଙ୍କୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ । ଏହା ସହ ବାଳାଶ୍ରମର ଉନ୍ନତି ମୂଳକ କାର୍ଯ୍ୟପାଇଁ ୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ । ଶିକ୍ଷା, କ୍ରୀଡା ଓ ଅନ୍ୟାନ୍ୟ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଛାତ୍ରଛାତ୍ରୀଙ୍କୁ ରାଜ୍ୟପାଳ ଟ୍ରଫି ପ୍ରଦାନ କରିଥିଲେ । ବାଳାଶ୍ରମ ପକ୍ଷରୁ ସ୍ୱାମୀ ସମର୍ପଣାନନ୍ଦ ରାଜ୍ୟପାଳଙ୍କ ଏକ ତୈଳଚିତ୍ର ପ୍ରଦାନ କରିଥିଲେ । ଶେଷରେ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ଦେଶାତ୍ମକବୋଧକ ନୃତ୍ୟ ଓ ଓଡିଶୀ ପରିବେଷଣ କରାଯାଇ ଥିଲା । କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି, ବୁଦ୍ଧିଜୀବୀ, ଅଭିଭାବକ ଅଂଶଗ୍ରହଣ କରିଥିଲେ ।
