ସହରର ପ୍ରଦୂଷଣ ମାତ୍ରା ଅଣାୟତ୍ତ ଅଣନିଃଶ୍ୱାସୀ ହେଲେଣି ଲୋକେ
କଟକ : ବାଲିଯାତ୍ରା ପରେ ଅଣାୟତ୍ତ ହେଲାଣି କଟକ ସହରର ପ୍ରଦୂଷଣ । ପ୍ରଦୂଷଣ ମାତ୍ରା ବଢୁଥିବାରୁ କଟକ ସହର ଅତି ସମ୍ବେଦନଶୀଳ ଅଂଚଳ ଭାବେ ପରିଗଣିତ ହେଲାଣି । କଟକ ସହରର ଏୟାର କ୍ୱାଲିଟି ଇନ୍ଡେକ୍ସ (ଆଇକ୍ୟୁଆଇ) ଯେଉଁଠି ୧୧୦ରୁ ୧୪୦ ରହିବା କଥା, ତାହା ଗତ ମାସକ ମଧ୍ୟରେ ପ୍ରାୟ ୨ଶହ ଉପରକୁ ବଢିଯାଇଛି । ଆଜି ଦିନ ବେଳା ସହରରେ ୨୫୬ ଆଇକ୍ୟୁଆଇ ରହିଥିବା ବେଳେ ସନ୍ଧ୍ୟାବେଳେ ତାହା ୨୬୩କୁ ବୃଦ୍ଧି ପାଇଥିଲା । ଯାହାକି ସହରରେ ବୟସ୍କ ନାଗରିକ, ଗର୍ଭବତୀ ଓ ଛୋଟ ପିଲାଙ୍କ ପାଇଁ ଏହା କ୍ଷତିକାରକ ସାବ୍ୟସ୍ତ ହେଉଛି । ସହରର କିଛି ବିପର୍ଯ୍ୟସ୍ତ ଚିତ୍ର ଯାହା ଆଖିରେ ନ ଦେଖିଲେ ବିଶ୍ୱାସ କରିହେବନି । ବକ୍ସିବଜାର ଠାରୁ ଚଣ୍ଡିଛକକୁ ଯୋଡୁଥିବା ରାସ୍ତାକୁ ଉଦାହରଣ ଭାବେ ନିଆଯାଇପାରେ । ଏହି ରାସ୍ତାରେ ଏତେ ମାତ୍ରାରେ ଧୂଳି ଉଡୁଛି ଯେ ଲୋକେ ଯା’ଆସ କରିବା ବେଳେ ନୟାନ୍ତ ହେଉଛନ୍ତି । ଏହି ରାସ୍ତା ବା ଏହାର ନିକଟ ୧ କିଲୋମିଟର ଭିତରେ ୬ଟି ସ୍କୁଲ, କଲେଜ ରହିଛି । କିନ୍ତୁ ଯେଉଁଭଳି ଧୂଳି ଉଡୁଛି ରାସ୍ତା ଦିଶୁନି । ସେହିପରି ଓଏମ୍ପିରୁ ରେଳ ଷ୍ଟେସନର ପୂର୍ବ ଗେଟ୍ ପାଶ୍ୱର୍କୁ ଲମ୍ବିଥିବା ରାସ୍ତା କଥା ଆହୁରି ସାଂଘାତିକ । ଏତେ ଧୂଳି ଉଡୁଛି ଯେ, ରାସ୍ତାରେ ଯିବା ଆସିବା କଷ୍ଟଦାୟକ ହେଉଛି । ଅପରପଟରେ ବାଦାମବାଡିରୁ ଲିଙ୍କରୋଡ୍, ରାଣୀହାଟରୁ ମଙ୍ଗଳାବାଗ ଆଦି ରାସ୍ତା ଅବସ୍ଥା ବି ଶୋଚନୀୟ । ଶ୍ୱାସ ରୋଗୀ ଏବଂ ବାୟୁ ସଂକ୍ରମଣରେ ପୀଡିତ ବ୍ୟକ୍ତିବିଶେଷଙ୍କ ପାଇଁ ଏହା ଅନୁପଯୁକ୍ତ । ଏହି ବର୍ଗର ଲୋକେ ବର୍ଷ ତମାମ୍ ଘରୁ ବାହାରିବା ମାତ୍ରେ ମାସ୍କ ପିନ୍ଧିବାକୁ ସତର୍କ ସୂଚନା ଜାରି କରାଯାଇଛି । ଏମିତିକି ବାୟୁ ସଂକ୍ରମଣରୁ ପ୍ରଭାବିତ ହେଉଥିବା ଲୋକ ବାହାରେ ବ୍ୟାୟାମ କରିବାକୁ ମଧ୍ୟ କଟକଣା ଜାରି କରାଯାଇଛି । ସାରା ଭାରତର ପ୍ରଦୂଷଣ ତାଲିକାରେ ଓଡିଶାର ୬ଟି ସହର ମଧ୍ୟରୁ କଟକ ଅନ୍ୟତମ । ତେବେ ଏଭଳି ପରିସ୍ଥିତିରେ କ୍ଲିନ୍ ଏୟାର୍ ପ୍ରୋଗ୍ରାମ୍ ଆରମ୍ଭ କରାଯାଇପାରିନାହିଁ । ୨୦୧୯ ଜୁଲାଇରେ ଓଡିଶା ପ୍ରଦୂଷଣ ବୋର୍ଡ ଦ୍ୱାରା କଟକ ମହାନଗର ନିଗମ(ସିଏମ୍ସି)କୁ କୋଟିଏ ଟଙ୍କାର ଅନୁଦାନ ଆସିଥିଲା । ଏଥିରେ ସିଏମସି ମେକାନିକାଲ୍ ସୁଇପିଂ ମେସିନ୍ କିଣିବାକୁ ଯୋଜନା କରିଥିଲା । ଏ ବାବଦରେ ୬୦ ଲକ୍ଷ ଖର୍ଚ୍ଚ ହେବାକୁ ଥିବା ବେଳେ ବଳକା ବନୀକରଣ, ସଚେତନତା କାର୍ଯ୍ୟକ୍ରମ ବାବଦରେ ଖର୍ଚ୍ଚ କରିବାର ବ୍ୟବସ୍ଥା ଥିଲା । ହେଲେ ସିଏମସି ଏଦିଗରେ ପାଦଟିଏ ବି ଆଗେଇ ପାରିନି । ସୂଚନାଯୋଗ୍ୟ ଯେ, ୨୦୧୧ ମସିହାରେ ସିଏମ୍ସି ମେକାନିକାଲ ସୁଇପିଂ ଦିଗରେ ଗୁରୁତ୍ୱ ଦେଇଥିଲା । କାଉନ୍ସିଲ୍ରେ ବଜେଟ ପାସ୍ ହୋଇ ଦୁଇଟି ସୁଇପିଂ ମେସିନ୍ କିଣାଯାଇଥିଲା । ପରେ ଏହାକୁ ରାମକୀକୁ ହସ୍ତାନ୍ତର କରିଥିଲେ ସିଏମସି କର୍ତ୍ତୃପକ୍ଷ । କିନ୍ତୁ ଦୁର୍ଭାଗ୍ୟର କଥା, କିଛି ମାସ ପରେ ରକ୍ଷଣା ବେକ୍ଷଣ ଅଭାବରୁ ସୁଇପିଂ ମେସିନ୍ ଖରାପ ହୋଇଗଲା । ସେବେଠାରୁ ଆଜି ଯାଏଁ ଏହି ମେକାନିକାଲ୍ ସୁଇପିଂ ମେସିନ୍ ବିକାଶ ଭବନରେ ଅବହେଳିତ ଅବସ୍ଥାରେ ପଡିରହିଛି । ଏବେ କେନ୍ଦ୍ର ସରକାରଙ୍କ କ୍ଲିନ୍ ଏୟାର୍ ପ୍ରୋଗ୍ରାମ୍ରେ ପୁଣି ମେକାନିକାଲ୍ ସୁଇପିଂ ମେସିନ୍ କିଣାଯିବାକୁ ଯୋଜନା ରହିଛି । ତେଣୁ ଏହାର ପରିଚାଳନା ଏବଂ ରକ୍ଷଣା ବେକ୍ଷଣ ଦିଗରେ ଯଦି ଗୁରୁତ୍ୱ ଦିଆ ନ ଯିବ ତେବେ ପରବର୍ତ୍ତୀ ସମୟରେ ଟଙ୍କା ପାଣିରେ ପଡିବ ବୋଲି କୁହାଯାଇପାରେ ।
