୯ରେ ଜଳଯୋଗାଣ କର୍ମଚାରୀଙ୍କ ବିଧାନସଭା ଘେରାଉ
କଟକ : ଓଡିଶାର ଉଭୟ ଗ୍ରାମାଂଚଳ ଓ ସହରାଂଚଳ ପାନୀୟ ଜଳ ଯୋଗାଣ ଭଳି ଅତ୍ୟାବଶ୍ୟକୀୟ ସେବା ସଂସ୍ଥାରେ କାର୍ଯ୍ୟରତ ହଜାର ହଜାର କର୍ମଚାରୀମାନେ ନିଜର ପେଟପାଟଣା ଦାବିସମୂହକୁ ନେଇ ଆସନ୍ତା ୯ ତାରିଖରେ ବିଧାନସଭା ଘେରାଉ କରିବାକୁ ଓଡିଶା ପାଇପ୍ ଜଳ କର୍ମଚାରୀ ସଂଘ ଘୋଷଣା କରିଛି । ଏହି ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମକୁ ରାଜ୍ୟର ସର୍ବବୃହତ୍ କେନ୍ଦ୍ରୀୟ ଶ୍ରମିକ ସଂଗଠନ ହିନ୍ଦ୍ ମଜଦୁର ସଭା(ଏଚ୍ଏମ୍ଏସ୍) ସମର୍ଥନ ଜଣାଇଛି । ମଜଦୁର ସଭାର ରାଜ୍ୟ ଯୁବ ସଭାପତି ବିଜୟ ଭୁଷଣ ପତିଙ୍କ ଆବାହକତ୍ୱରେ ଏ ସଂପର୍କୀୟ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରାଯାଇଛି । ଏହି ସମ୍ମିଳନୀରେ ସଂଗଠନର ରାଜ୍ୟ ସାଧାରଣ ସଂପାଦକ ମନୋଜ କୁମାର ମହାନ୍ତି ଯୋଗଦେଇ ସରକାରଙ୍କ ନିକଟରେ ବର୍ଷ ବର୍ଷ ଧରି ପଡିରହିଥିବା ଦାବିସମୂହ ଉପସ୍ଥାପନା କରି ଏ କ୍ଷେତ୍ରରେ ସରକାର ତଥା ନଗର ଉନ୍ନୟନ ବିଭାଗର ଚରମ ଉଦାସୀନତାକୁ ଘୋର ନିନ୍ଦା କରିଥିଲେ । ୧୯୯୩ ମସିହା ପରଠାରୁ ସଂସ୍ଥାରେ କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା, ବିଭାଗରେ ଖାଲି ପଡିଥିବା ପଦବୀଗୁଡିକୁ ପୂରଣ କରିବା, ଏସ.ଇ.ଏମ. କର୍ମଚାରୀମାନଙ୍କୁ ଦୈନିକ ମଜୁରୀ ପ୍ରଦାନ କରିବା, ସମସ୍ତ କର୍ମଚାରୀମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରିବା, ସର୍ବୋପରି ଘରୋଇକରଣ ବନ୍ଦ୍ କରିବା ଆଦି ଦାବିଗୁଡିକୁ ଦୀର୍ଘ ବର୍ଷ ଧରି ସରକାର କର୍ଣ୍ଣପାତ କରୁନାହାନ୍ତି ବୋଲି ସଂଘ ଅଭିଯୋଗ କରିଥିଲା । ନିକଟରେ ମୁଖ୍ୟମନ୍ତ୍ରୀ ଠିକା କର୍ମଚାରୀମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିଥିବାରୁ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ନେତୃମଣ୍ଡଳି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ପ୍ରକାଶ କରି ଅବିଳମ୍ବେ ପାନୀୟ ଜଳଯୋଗାଣ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀମାନଙ୍କ ସମସ୍ୟା ସମାଧାନ ପାଇଁ ଅନୁରୋଧ କରିଥିଲେ । ସମ୍ମିଳନୀର ଆବାହକ ଶ୍ରୀ ପତି ସମସ୍ୟା ପ୍ରତି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ପୂର୍ବକ ଏ ଦିଗରେ ଏକ ଉଚ୍ଚସ୍ତରୀୟ ଆଲୋଚନା କରି ସରକାରଙ୍କ ବିଭିନ୍ନ ବିଭାଗରେ କାମ କରୁଥିବା କର୍ମଚାରୀମାନଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଅନୁରୋଧ କରିଥିଲେ । ଏହି ସାମ୍ବାଦିକ ସମ୍ମିନୀରେ ଯୁବ ଶ୍ରମିକ ନେତା ବିଜୟ କୁମାର ବେହେରା, ଶରତ ଚନ୍ଦ୍ର ରାଉତରାୟ, ଯଯାତି କେଶରୀ ନାୟକ, ଶିବ ମହାନ୍ତି, ତରୁଣ ହାତୀ, ସୁଶାନ୍ତ ସେଠୀ, ଗୁରୁଚରଣ ପାତ୍ର, ସୈାମ୍ୟକାନ୍ତ ବେହେରା, ପ୍ରଦୀପ ମହାପାତ୍ର, ରାମଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
