୧୦ରୁ ଜାତୀୟ ସ୍ତରୀୟ ସାତସାହି ବାଣିଜ୍ୟ ମେଳା
କଟକ : ଗତ ୨୦୧୦ ମସିହାରୁ କାଠଯୋଡି ନଦୀକୂଳରେ କଟକ ସହରର ସାତୋଟି ସାହି ମୁରବୀ, ଯୁବକ, ବୁଦ୍ଧିଜୀବୀ, ଶିକ୍ଷାବିତ ଓ ସଂସ୍କୃତି ସମ୍ପନ୍ନ ବ୍ୟକ୍ତିବିଶେଷଙ୍କୁ ନେଇ ଜାତୀୟ ନୃତ୍ୟ, ସଂଗୀତ, ନାଟକର ପ୍ରତିଯୋଗିତା ସାତସାହି କଟକ ନୃତ୍ୟୋତ୍ସବ ଭାବେ ଜନ୍ମଲାଭ କରିଥିଲା । ଏହି ନୃତ୍ୟୋତ୍ସବ ଜରିଆରେ ରାଜ୍ୟର ବିବିଧ ଲୁପ୍ତପ୍ରାୟ କଳା ସଂସ୍କୃତିର ପୁନରୁଦ୍ଧାର ସହ ତାର ବିକାଶ କରିବା କ୍ଷେତ୍ରରେ ଦେଶ ବିଦେଶର କୋଣ ଅନୁକୋଣର କଳାକାରମାନଙ୍କୁ ସେମାନଙ୍କର ପ୍ରତିଭା ପର୍ଦଶନ ପାଇଁ ସୁଯୋଗ ସୃଷ୍ଟି କରାଯାଇଛି । ଚଳିତ ବର୍ଷ ଏହି ନୃତ୍ୟେତ୍ସବ ତାର ୧୩ ବର୍ଷ ପୂର୍ତି ପାଳନ କରିବାକୁ ଯାଉଥିବା ବେଳେ ଏହା ଆସନ୍ତା ୧୦ ତାରିଖରୁ ଆରମ୍ଭ ହୋଇ ୧୮ ତାରିଖ ତଥା ୯ ଦିନ ଧରି ପାଳନ କରାଯିବା ପାଇଁ ନିଷ୍ପତି ନିଆଯାଇଛି । ପ୍ରଥମ ଥର ପାଇଁ କଟକ ମହାନଗର ନିଗମ ଓ ଜିଲ୍ଲା ପ୍ରଶାସନର ପ୍ରତ୍ୟେକ୍ଷ ତତ୍ୱବଧାନରେ ନୃତ୍ୟୋତ୍ସବକୁ ସଫଳ କରାଇବା ପାଇଁ ଜିଲ୍ଲାର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ସହିତ ପ୍ରସ୍ତୁତି ବୈଠକ ମାଧ୍ୟମରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇ ବାଲିଯାତ୍ରାର ଉପର ପଡିଆରେ କାର୍ଯ୍ୟକ୍ରମକୁ ଆୟୋଜନ କରିବା ପାଇଁ ସ୍ଥିରିକୃତ କରାଯାଇଛି । ଚଳିତ ବର୍ଷ କମିଟି ପକ୍ଷରୁ ନୃତ୍ୟୋତ୍ସବରେ ଆୟୋଜିତ ହେଉଥିବା ମେଳାକୁ ଜାତୀୟ ସ୍ତରୀୟ ସାତସାହି ବାଣିଜ୍ୟ ମେଳା ନାମରେ ଘୋଷଣା କରାଯାଇଛି । ଏହି ଅବସରରେ ଉପର ବାଲିଯାତ୍ରା ପଡିଆରେ ୧୦୦ରୁ ଉର୍ଦ୍ଧ୍ୱ ଷ୍ଟଲ ବସିବା ସହ ମୀନାବଜାର, ପିଲାଙ୍କ ଖେଳ ଉପକରଣ, ବିଭିନ୍ନ ପ୍ରକାରର ସୁସ୍ୱାଦୁ ଖାଦ୍ୟ ପେୟ, ଖଦୀ ବସ୍ତ୍ର ଏବଂ ଘର କରଣା ସାମଗ୍ରୀ ଆଦି ଏସଏସଜି ମାଧ୍ୟମରେ ସୁଲଭ ମୂଲ୍ୟରେ ଯୋଗାଇ ଦିଆଯିବ । ଏଥିସହିତ ସମାଜର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବ୍ୟକ୍ତିବିଶେଷଙ୍କୁ ଜାତୀୟ ରତ୍ନ ଓ ଓଡିଶା ରତ୍ନ ସମ୍ମାନ ପ୍ରଦାନ କରାଯିବ । ପ୍ରଥମ ଥର ପାଇଁ ଓଏସଏମଇ ମାଧ୍ୟମରେ ୨୦ଟି ପଦର୍ଶନୀ ତଥା ବ୍ୟବସାୟୀକ ଷ୍ଟଲ ସ୍ଥାପନ କରାଯିବ । ଶେଷ ସନ୍ଧ୍ୟାରେ କମିଟିର ମୁଖପତ୍ର ‘ନଗରୀ କଟକ’ ଉନ୍ମୋଚନ କରାଯିବ ବୋଲି ଆଜି ବାରବାଟୀ ଷ୍ଟାଡିୟମ ସ୍ଥିତ ଓସିଏ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କମିଟି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମହୋତ୍ସବ କମିଟିର ଅଧ୍ୟକ୍ଷ ତଥା ସିଏମସି ମେୟର ସୁବାଷ ସିଂହ, ଉପଦେଷ୍ଠା କିଶୋର ଚନ୍ଦ୍ର ବେହେରା, ସଭାପତି ରବି ନାରାୟଣ ନନ୍ଦ, କାର୍ଯ୍ୟକାରୀ ସଭାପତି ପ୍ରଫୁଲ ମହାପାତ୍ର, ଡ. ଦୁର୍ଗା ଚରଣ ଦାସ ଏବଂ ସାଧାରଣ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ଦୀପେଶ ମହାପାତ୍ରଙ୍କ ସମେତ ବହୁ କର୍ମକତାମାନେ ଉପସ୍ଥିତ ଥିଲେ ।
