ଶିକ୍ଷକଙ୍କ ଠାରୁ ସାଇବର ଠକ ଲୁଟିନେଲେ ୨ ଲକ୍ଷ ୮୪ ହଜାର ଟଙ୍କା
Hacker with cybercrime cartoons vector illustration graphic design
ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଏମପିଭି-୩୧ ଗ୍ରାମର ସମୀର କୁମାର ଗୋପ ସାଇବର ଠକେଇର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି । ଏନେଇ ଥାନାରେ ସେ ଏତଲା ଦେବା ପରେ ସାଇବର ସେଲ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଘଟଣା ଅନୁଯାୟୀ, ସମୀର କାଲିମେଳା ଷ୍ଟେଟବ୍ୟାଙ୍କକୁ ଯାଇଥିବାବେଳେ ସେଠାରେ ତାଙ୍କୁ କ୍ରେଡିଟ କାର୍ଡ କରିବା ପାଇଁ କୁହାଯାଇଥିଲା । ସେଥିପାଇଁ ତାଙ୍କୁ ସମସ୍ତ ଡକୁମେଂଟ ଦେବାକୁ କୁହାଯାଇଥିଲା । ସେ ବ୍ୟାଙ୍କରୁ ଫେରିବା ପରେ ଏନେଇ ଚିନ୍ତା କରୁଥିଲେ । ତେବେ ହଠାତ୍ ଦିନେ ତାଙ୍କ ମୋବାଇଲକୁ ଏକ ଲିଙ୍କ ଆସିଥିଲା । ସେହି ଲିଙ୍କରେ ତୁମର ୟୁନୋ ବ୍ୟାଙ୍କ କାମ କରୁନଥିବା ଦର୍ଶାଇ ତୁରନ୍ତ ଚାଲୁ କରିବାକୁ କୁହାଯାଇଥିଲା । ସମୀର ୟୁନୋ ବନ୍ଦ ପଡିଥିବାରୁ ହୁଏତ ଚାଲୁ କଲେ କ୍ରେଡିଟ କାର୍ଡ ମିଳିବ ଭାବି ଲିଙ୍କରେ ସମସ୍ତ ତଥ୍ୟ ପ୍ରଦାନ କରିଥିଲେ । କିଛି ସମୟ ପରେ ବ୍ୟାଙ୍କ ରୁ କହୁଛି କହି ଏକ ଫୋନ ଆସିଥିଲା । ମୋତେ ତୁମର ଓଟିପି ନମ୍ବର ଦିଅ ନାହିଁ । ତେବେ ତୁମର ସମସ୍ତ କାମ ମୁଁ କରିଦେଉଛି କହି ସେ ଏନିଡେସ୍କ ଡାଉନଲୋଡ କରିବାକୁ କହିଥିଲା । ସମୀର ଏନିଡେସ୍କ ଡାଉନଲୋଡ କରୁ କରୁ କିଛି ମିନିଟ ଭିତରେ ପ୍ରଥମେ ଆକାଉଣ୍ଟରୁ ୨ ଲକ୍ଷ ଟଙ୍କା ଚାଲିଯାଇଥିଲା । ସମୀର କିଛି ଭାବୁ ଭାବୁ ପୁଣି ୬୦ ହଜାର ଟଙ୍କା ଗାଏବ ହୋଇଯାଇଥିଲା । ଆଉ ଥରେ ୨୪, ୯୯୦ ଟଙ୍କା ତାଙ୍କ ଆକାଉଂଟରୁ କଟି ଚାଲିଗଲା । ସମୀର ସେହି ବ୍ୟକ୍ତିଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାକୁ ଚେଷ୍ଟା କରୁଥିବା ବେଳେ ସେ ଆଉ ଫୋନ ଉଠାଇନଥିଲା । ସେ ଷ୍ଟେଟ ବ୍ୟାଙ୍କ ଯାଇ ଏସବୁ ବିଷୟରେ କହିବା ପରେ ବ୍ୟାଙ୍କ କର୍ମଚାରୀ ସାଇବର ଥାନାରେ କେସ ରୁଜୁ କରିବାକୁ କହିଥିଲେ । ସମୀର ନିଜର ଝିଅ ବାହାଘର ପାଇଁ ଟଙ୍କା ଯୋଗାଡ କରି ରଖିଥିଲେ । ତେବେ ଏତେ ଟଙ୍କା ସାଇବର ଠକ ଲୁଟି ନେଇଥିବାରୁ ସେ ଏବେ ଚିନ୍ତାରେ ପଡିଛନ୍ତି । କଣ କରିବେ କିଛି ବୁଝିପାରୁନାହନ୍ତି ।
