ହାତୀ ଆକ୍ରମଣରେ ଯୁବକ ମୃତ
କେନ୍ଦୁଝର : ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୁଣ୍ଡ ଖରାପ ଥିବା ବାପାକୁ ଖୋଜିବା ପାଇଁ ଯାଉଥିବା ବେଳେ ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ହୋଇଛି । ସ୍ୱାମୀ ଓ ସ୍ତ୍ରୀ ମିଶି ଜଙ୍ଗଲ ରାସ୍ତାରେ ବାପାଙ୍କୁ ଖୋଜିବା ପାଇଁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡିଯିବାରୁ ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟିଛି । ଏପରି ଦୁଃଖଦ ଘଟଣା ସାମ୍ନାକୁ ଆସିଛି କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲା ସୀମନ୍ତ ମହୁଲଡିହା ଥାନା ଅନ୍ତର୍ଗତ ଆସୁରଖାଲ ଗ୍ରାମ ହୁଡିସାହିରୁ । ରବିବାର ଅପରାହ୍ନ ସମୟରେ ବାପା ଜାଣ୍ଡାଇ ବାନରାକୁ ନିକଟସ୍ଥ ପାଣପୋଷି ଗାଁକୁ ଖୋଜିବାକୁ ଯାଉଥିବା ବେଳେ ଅସୁରଖାଲ (ହୁଡସାହି) ଜଙ୍ଗଲ ରାସ୍ତାରେ ହାତୀ ଛକି ବସିଥିଲା ଆଉ ଏମାନେ ସେଠାକୁ ପହଁଚିବା ପରେ ହଠାତ୍ ହାତୀ ଆକ୍ରମଣ କରିଥିଲା । ହାତୀଟି ଶୁଣ୍ଢରେ ଟେକି କଚାଡି ଦେବାରୁ ଘଟଣାସ୍ଥଳରେ ହିଁ ଶାସ୍ତ୍ରୀ ବାନରା ପ୍ରାଣ ହରାଇଥିବା ବେଳେ ସ୍ତ୍ରୀ ବାଲମା ବାନରା ଅଳ୍ପକେ ବର୍ତି ଯାଇଛନ୍ତି । ଖବର ପାଇ ସାତକୋଶିଆ ରେଞ୍ଜ୍ ଅଧିକାରୀ ରବୀନ୍ଦ୍ର ମହାନ୍ତ, ମହୁଲଡିହା ଥାନା ଅଧିକାରୀ ସଂଜୀବ କୁମାର ପରିଡା ଏବଂ ବନ କର୍ମଚାରୀ ମାନେ ଘଟଣାସ୍ଥଳକୁ ଯାଇ ମୃତକଙ୍କ ଶବ ଜବତ କରିବା ସହିତ ଅଧିକ ତଦନ୍ତ କରୁଥିବା ଜଣାପଡିଛି । ତେବେ ଗତ ତିନ ଦିନ ମଧ୍ୟରେ ହାତୀ ଆକ୍ରମଣରେ ଜଣେ ଗୁରୁତର ଆହତ ହୋଇ କେନ୍ଦୁଝର ମେଡ଼ିକାଲରେ ଚିକିତ୍ସିତ ହେଉଥିବା ବେଳେ ଆଜି ପୁଣି ହାତୀ ଆକ୍ରମଣରେ ଜଣକର ମୃତ୍ୟୁ ହୋଇଥିବାରୁ ଏବେ ଆଖପାଖ ଅଂଚଳର ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।
