ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ: ଓଟିଏମକୁ ଦଖଲ କଲା ଜିଲ୍ଲା ପ୍ରଶାସନ
କଟକ : ଚୈାଦ୍ୱାରସ୍ଥିତ ଓଡିଶା ଟେକ୍ସଟାଇଲ ମିଲ(ଓଟିଏମ)କୁ ଦଖଲ କରିଛି କଟକ ଜିଲ୍ଲା ପ୍ରଶାସନ ଏବଂ ଓଟିଏମର ପୁନରୁଦ୍ଧାର ପ୍ରସଙ୍ଗରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିଛି । ନିର୍ଦ୍ଦେଶ ଅନୁଯାୟୀ ଅଫିସିଆଲ ଲିକ୍ୟୁଡିଟେରଙ୍କ ଠାରୁ ଓଟିଏମର ୫୨୧ ଏକର ଜମିକୁ ଜିଲ୍ଲା ପ୍ରଶାସନ ନିଜ ଅକ୍ତିଆରକୁ ନେଇଥିବା ଜଣାଯାଇଛି । ଗତ ୩ ତାରିଖ ସୁଦ୍ଧା ଏହି ପ୍ରକ୍ରିୟା ଶେଷ ହୋଇଛି ବୋଲି ଆଜି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସୂଚନା ଦେଇଛନ୍ତି । ଜିଲ୍ଲାପାଳ ଶ୍ରୀ ଚୟନୀ କହିଛନ୍ତି ଯେ, ଟାଙ୍ଗି-ଚୈାଦ୍ୱାର ତହସିଲଦାର ଏହି ପ୍ରକ୍ରିୟାକୁ ଆଗେଇ ନେଇଛନ୍ତି । ଜମି, ଆସବାବପତ୍ର ଓ ଆବାସିକ କ୍ୱାଟର୍ସଗୁଡିକୁ ଏହି ପ୍ରକ୍ରିୟାରେ ସାମିଲ କରାଯାଇଛି । ଇଡ୍କୋକୁ ଏହାର ଦେଖାଶୁଣା କରିବାକୁ ଦାୟିତ୍ୱ ଦିଆଯାଇଛି । ରାଜ୍ୟ ସରକାରଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ଯାହା ରହିବ ଜିଲ୍ଲା ପ୍ରଶାସନ ସେହି ଅନୁସାରେ ପଦକ୍ଷେପ ନେବ ବୋଲି ଜିଲ୍ଲାପାଳ କହିଛନ୍ତି I ସୂଚନାଯୋଗ୍ୟ ଯେ, ଓଟିଏମ ପୁନରୁଦ୍ଧାର ମାମଲାରେ ହାଇକୋର୍ଟ ଡିସେମ୍ବର ୫ ତାରିଖ ସୁଦ୍ଧା ରାଜ୍ୟ ସରକାର ଓଟିଏମକୁ ନିଜ ଅକ୍ତିଆରକୁ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଏହା ପୂର୍ବରୁ ରାଜ୍ୟ ସରକାର ଓଟିଏମକୁ ହାତକୁ ନେଇଥିବା ଘୋଷଣା କରିଛନ୍ତି ।
