ବଲାଙ୍ଗିର ରେଲୱେ ଜଙ୍କସନରୁ ୨୫ ଦାଦନ ଶ୍ରମିକ ଉଦ୍ଧାର
ବଲାଙ୍ଗିର : ବଲାଙ୍ଗିର ରେଲୱେ ଜଙ୍କସନରୁ ଦାଦନ ଶ୍ରମିକ ଉଦ୍ଧାର । ବରଗଡ଼ ପାଇକମାଳ ଅଂଚଳରୁ ଆନ୍ଧ୍ରପ୍ରଦେଶ ତଥା ଅନ୍ୟ ବାହାର ରାଜ୍ୟକୁ ଚାଲାଣ ବେଳେ ୨୫ ଜଣ ଦାଦନ ଶ୍ରମିକଙ୍କୁ ରେଳବାଇ ସୁରକ୍ଷା ବଳ ଉଦ୍ଧାର କରିଛି । ଶ୍ରମିକମାନେ ବିଜୟୱାଡା ଓ ବିଶାଖାପାଟଣା ଯାଉଥିବା ଜଣାପଡ଼ିଛି । ସେମାନେ ସମସ୍ତେ ଇଟା ଗଢ଼ିବାକୁ ଯାଉଥିବା ବେଳେ କେତେକ ଅଣ୍ଡା ଫ୍ୟାକ୍ଟ୍ରି ଓ ଅନ୍ୟମାନେ ସୂତା ମିଲରେ କାମ କରିବାକୁ ଯାଉଥିବା କହିଛନ୍ତି । ଖବର ପାଇ ଶ୍ରମ ବିଭାଗ ଆରପିଏଫ କାର୍ଯ୍ୟାଳୟ ସମ୍ମୁଖରେ ଉଦ୍ଧାର ହୋଇଥିବା ଶ୍ରମିକମାନଙ୍କୁ କାଉନସିଲିଂ କରିଛି । ତେବେ ସେମାନେ ନିଜେ ନିଜେ ବାହାର ରାଜ୍ୟକୁ ଯାଉଥିଲେ, ଏହା ପଛରେ କୌଣସି ଦାଦନ ସର୍ଦ୍ଦାରଙ୍କ ଭୂମିକା ନାହିଁ ବୋଲି କହିଛନ୍ତି । ଶନିବାର ଠାରୁ ଏମାନେ ଏକ ବସ୍ ଯୋଗେ ବଲାଙ୍ଗିରରେ ପହଂଚିଥିଲେ । ହେଲେ ଟ୍ରେନ୍ ମିସ୍ ହେବା ଯୋଗୁଁ ଏମାନେ ଆଜି ସମ୍ବଲପୁର ନାନ୍ଦେଦ ଏକ୍ସପ୍ରେସରେ ଯିବାକୁ ବାହାରିଥିଲେ । ଏହାପୂର୍ବରୁ ଆରପିଏଫ ସେମାନଙ୍କୁ ଉଦ୍ଧାର କରିଛି ।
