ବୈଶିଙ୍ଗା ହସ୍ପିଟାଲକୁ ସିଏଚସି ମାନ୍ୟତା ଦାବି ବିଧାନସଭା ରେ ପ୍ରସଙ୍ଗ ଉଠାଇଲେ ବିଧାୟକ
ବୈଶିଙ୍ଗା : ୧୮ ନଂ ଜାତୀୟ ରାଜପଥ ପାର୍ଶ୍ବରେ ଥିବା ବୈଶିଙ୍ଗା ହସ୍ପିଟାଲ କୁ ସିଏଚସି ମାନ୍ୟତା ନିମନ୍ତେ ଦୀର୍ଘଦିନରୁ ଦାବି ହେବା ସତ୍ତ୍ବେ ସରକାର ଏଥିପ୍ରତି ଅଣଦେଖା କରୁଥିବା ଦୃଢ଼ ଅଭିଯୋଗ ହୋଇଛି। ହସ୍ପିଟାଲ ଉପରେ ପାଖାପାଖି ୨୨ ପଞ୍ଚାୟତର ବାସିନ୍ଦା ନିର୍ଭରଶୀଳ ଥିବା ସତ୍ତ୍ବେ ଆବଶ୍ୟକୀୟ ଭିତ୍ତିଭୂମି ଅଭାବ ଏବଂ ଡାକ୍ତର ଅଭାବ ଯୋଗୁଁ ରୋଗୀକୁ ନାହିଁ ନଥିବା ଅସୁବିଧା ଭୋଗିବାକୁ ପଡୁଛି। ପରିସ୍ଥିତି ଏପରି ହୁଏ ଯେ, ରୋଗୀକୁ ଏଠାରୁ ଥିବା ୪୦ କିଲୋମିଟର ଦୂର ବାରିପଦା ମୁଖ୍ୟ ଚିକିତ୍ସାଳୟ ପହଞ୍ଚିବାକୁ ପଡେ। ସେହିପରି ହୃଦ୍ ରୋଗୀଙ୍କ କଷ୍ଟ ନ କହିଲେ ଭଲ। ଇସିଜି ସୁବିଧା ଉପଲବ୍ଧ ନଥିବା ହେତୁ ହୃଦ୍ ରୋଗୀଙ୍କ ରୋଗ ନିରୂପଣ ହୋଇପାରୁନାହିଁ ଏବଂ ଡାକ୍ତର କେବଳ ସନ୍ଦେହ କରି ବାଲେଶ୍ବର ହସ୍ପିଟାଲକୁ ରେଫର କରୁଛନ୍ତି। ୨ ବର୍ଷ ପୂର୍ବେ ସ୍ୱାସ୍ଥ୍ୟମନ୍ତ୍ରୀ ବୈଶିଙ୍ଗା ହସ୍ପିଟାଲ୍ ପରିଦର୍ଶନ କରିବା ସମୟରେ ମନ୍ତ୍ରୀଙ୍କ ସାମ୍ନାରେ ମେଡିକାଲ୍ ସମସ୍ୟା ଉପସ୍ଥାପନା କରିଥିଲେ। ଖାଲି ଏତିକି ନୁହେଁ ସମସ୍ୟା ସମ୍ପର୍କରେ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ପରେ ବି ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେଉନାହାନ୍ତି। ପ୍ରତି ବିଧାନସଭା ଅଧିବେଶନ ରେ ବୈଶିଙ୍ଗା ହସ୍ପିଟାଲ କୁ ସିଏଚସି ମାନ୍ୟତା ପାଇଁ ବଡ଼ସାହି ବିଧାୟକ ସନାତନ ବିଜୁଳି ପ୍ରଶ୍ନ ଉଠାଇଥାନ୍ତି ଓ ସିଡ଼ିଏମଓ ଙ୍କ ନିକଟରୁ ଭିଜିବିଲିଟି ରିପୋର୍ଟ୍ ଆସିବା ପରେ ଏଦିଗରେ ପଦକ୍ଷେପ ନେବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ପ୍ରତିଶ୍ରୁତି ଦେଇଥିବା ପ୍ରକାଶ କରିଛନ୍ତି ବିଧାୟକ। ତେବେ ଭିଜିବିଲିଟି ରିପୋର୍ଟ୍ ଆସିବାର ଵର୍ଷେ ପରେ ବି ସିଏଚସି ମାନ୍ୟତା କେବଳ ପ୍ରତିଶ୍ରୁତି ରେ ହିଁ ରହିଛି। ଏଥିଯୋଗୁଁ ବିଧାନସଭା ର ପ୍ରଶ୍ନକାଳ ସମୟରେ ସେ ତାଙ୍କ କ୍ଷୋଭ ବଖାଣିଥିଲେ । ମୟୁରଭଞ୍ଜ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାବେଳେ ଭୌଗଳିକ ଦୃଷ୍ଟି କୋଣରୁ ଅନ୍ୟ ଜିଲ୍ଲାଠାରୁ ବୃହତ୍ତର ଓ ମୟୂରଭଞ୍ଜ ଜିଲ୍ଲାରେ ୩ ଟି ସବଡିଭିଜନ ହସ୍ପିଟାଲ ଅଛି। ଏଣୁ ବେତନଟୀ ସିଏଚସିକୁ ସବଡିଭିଜନ ହସ୍ପିଟାଲ ମାନ୍ୟତା ନିମନ୍ତେ ମଧ୍ୟ ଶ୍ରୀ ବିଜୁଳି ଚଳିତ ବିଧାନସଭା ଦାବି ଉଠାଇଛନ୍ତି। ପ୍ରକାଶଥାଉକି ବଡ଼ସାହି ନିର୍ବାଚନମଣ୍ଡଳୀରେ ଗୋଟିଏ ମାତ୍ର ସ୍ତ୍ରୀ ଏବଂ ପ୍ରସୂତି ବିଭାଗର ଡାକ୍ତର ଭାବେ ଏକମାତ୍ର ଡାକ୍ତର ଡା ସୁକାନ୍ତ ପାତ୍ର କାର୍ଯ୍ୟରତ ଥିବା ବେଳେ ତାଙ୍କୁ ମଧ୍ୟ ବଦଳି ନିର୍ଦ୍ଦେଶ ଆସିବା ଅତ୍ଯନ୍ତ ଦୁର୍ଭାଗ୍ଯଜନକ ବୋଲି ବିଧାୟକ ପ୍ରତିକ୍ରିୟା ଦେଇଛନ୍ତି।
