ହାତୀ ଟ୍ରାକିଂ ପାଇଁ ଅତ୍ୟାଧୁନିକ ଥର୍ମାଲ ଡ୍ରୋନ୍ ବ୍ୟବହାର
କେନ୍ଦୁଝର : ରାଜ୍ୟର ପ୍ରଥମକରି କେନ୍ଦୁଝର ବନଖଣ୍ଡରେ ବ୍ୟବହାର ହେଲା ଥର୍ମାଲ ଇନଫ୍ରା ରେଡ଼ ଡ୍ରୋନ୍ । ରାତି ସମୟରେ ହାତୀଙ୍କ ଗତିବିଧି ଜାଣିବା ପାଇଁ ଏହି ଡ୍ରୋନ୍ ବ୍ୟବହାର କରାଯାଇଛି । ପ୍ରଥମ କରି କେନ୍ଦୁଝର ବନଖଣ୍ଡର ଚମକପୁରଠାରେ ଆହତ ହାତୀଙ୍କ ଗତିବିଧିକୁ ଏଥିରେ କଏଦ କରି ଏହାର ସୁଫଳ ମିଳିବାପରେ ଏହି ଡ୍ରୋନ୍କୁ ହାତୀ ଚଳପ୍ରଚଳ କରୁଥିବା ବମେବାରୀ, ବାଲିବନ୍ଧ ଏବଂ ପାଟଣା ରେଞ୍ଜ ଅଂଚଳରେ ହାତୀ, ବନ୍ୟଜନ୍ତୁ ଏବଂ ଶିକାରୀଙ୍କ ଗତିବିଧି ଲକ୍ଷ୍ୟ କରିବା ପାଇଁ ଏହାକୁ ବ୍ୟବହାର କରାଯାଉଛି । ଏହି ଡ୍ରୋନ୍ଟି ରାତ୍ରି ସମୟରେ ହାତୀ, ଜୀବଜନ୍ତୁ, ଏବଂ ଶିକାରୀଙ୍କର ଦେହର ତାପମାତ୍ରାକୁ ଅନୁଶୀଳନ କରିବ । କେନ୍ଦୁଝର ଜିଲ୍ଲାରେ ରେଳ ଲାଇନ, ବିଦ୍ୟୁତ ଲାଇନରେ ଦୁର୍ଘଟଣାରୁ ହାତୀ ମୃତ୍ୟୁ ବଢ଼ିଛି ।ଏଥିସହିତ ଶିକାରୀଙ୍କ ଯୋଗୁଁ ଜିଲ୍ଲାରେ ଅନ୍ୟାନ୍ୟ ବନ୍ୟପ୍ରାଣୀ ମୃତ୍ୟୁ ବରଣ କରୁଛନ୍ତି । ଏହାକୁ ରୋକିବା ଦିଗରେ ଥର୍ମାଲ ଇନଫ୍ରା ରେଡ଼ ଡ୍ରୋନ୍ ଫଳପ୍ରଦ ହେବ ବୋଲି କେନ୍ଦୁଝର ଡିଏଫଓ ଧନରାଜ ଏଚ ଡି ସୂଚନା ଦେଇଛନ୍ତି ।
