ସଂସ୍କୃୃତଜ୍ଞ ସ୍ୱର୍ଗତ ପଣ୍ଡିତ ସୁରେନ୍ଦ୍ରନାଥଙ୍କ ସ୍ମୃତିସଭା ଓ ସ୍ମରଣିକା ଉନ୍ମୋଚନ
କଟକ : ଖ୍ୟାତନାମା ସଂସ୍କୃତ ବିଦ୍ୱାନ୍ ତଥା ରେଭେନ୍ସା କଲିଜିଏଟ ସ୍କୁଲର ପୂର୍ବତନ ସଂସ୍କୃତ ଶିକ୍ଷକ ସ୍ୱର୍ଗତ ପଣ୍ଡିତ ସୁରେନ୍ଦ୍ରନାଥ ଆଚାର୍ଯ୍ୟଙ୍କ ଦ୍ୱାଦଶାହରେ ଏକ ସ୍ମୃତି ସଭା ଓ ସ୍ମରଣିକା ଉନ୍ମୋଚନ କାର୍ଯ୍ୟକ୍ରମ ସାରଳା ଭବନଠାରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ ଭାଇସ୍ ଚେୟାରମ୍ୟାନ ଜଷ୍ଟିସ୍ ମନୋରଂଜନ ମହାନ୍ତିଙ୍କ ପୈାରୋହିତ୍ୟରେ ଅନୁଷ୍ଠିତ ଏହି ସଭାରେ ଜଷ୍ଟିସ୍ ଆଦିତ୍ୟ କୁମାର ମହାପାତ୍ର, ତିରୁପତି ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଡ. ହରେକୃଷ୍ଣ ଶତପଥୀ, ପ୍ରଫେସର ଡ. ସତ୍ୟନାରାୟଣ ଆଚାର୍ଯ୍ୟ, ବରିଷ୍ଠ ସାମ୍ବାଦିକ ଅରୁଣ କୁମାର ପଣ୍ଡା, ସଂସ୍କୃତଜ୍ଞ ଡ. ବିପିନ ବିହାରୀ ଶତପଥୀ, ଲେଖତ ଡ. ସତ୍ୟ ରାୟ ଓ କଟକ ମେୟର ସୁୁବାସ ସିଂହ ଅତିଥି ଭାବରେ ଯୋଗଦେଇଥିଲେ । ପଣ୍ଡିତ ସୁରେନ୍ଦ୍ରନାଥଙ୍କ ଶତାଧିକ ପ୍ରଶଂସକ, ଛାତ୍ରଛାତ୍ରୀ ଓ ଶୁଭେଚ୍ଛୁ ଉପସ୍ଥିତ ରହି ତାଙ୍କର ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଅବସରରେ ‘ସୁରେନ୍ଦ୍ର ସ୍ମରଣେ’ ନାମରେ ପ୍ରକାଶିତ ଏକ ସ୍ମରଣିକା ଉନ୍ମୋଚିତ ହୋଇଥିଲା । ବାଲ୍ୟକାଳରୁ ଅନେକ ଝଡଝଞ୍ଜା ଭିତରେ ଗତି କରିଥିଲେ ମଧ୍ୟ ସ୍ୱର୍ଗତ ଆଚାର୍ଯ୍ୟ କିଭଳି ଜଣେ ଆଦର୍ଶ ଶିକ୍ଷକ ଓ ସଂସ୍କୃତ ଭାଷା ସାହିତ୍ୟରେ ନିଜର ଦକ୍ଷତା ପ୍ରତିପାଦିତ କରି ରାଜ୍ୟ ତଥା ଜାତୀୟ ସ୍ତରରେ ସମ୍ମାନିତ ହୋଇଥିଲେ ତାହା ଆଜିକାଲି ବିରଳ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ତାଙ୍କର ବିୟୋଗରେ ରାଜ୍ୟ ଜଣେ ଆଦର୍ଶ, ନୀତିନିଷ୍ଠ, ପରୋପକାରୀ, ବାଗ୍ମୀଙ୍କୁ ହରାଇଲା ବୋଲି ସ୍ମୃତିସଭାରେ ଉପସ୍ଥିତ ବୁଦ୍ଧିଜୀବୀମାନେ ପ୍ରକାଶ କରିଥିଲେ । ରେଭେନ୍ସା କଲିଜିଏଟ ସ୍କୁଲର ପୁରାତନ ଛାତ୍ର ସଂସଦର ବହୁ ଛାତ୍ରଛାତ୍ରୀ ଏକ ସ୍ମୃତିସଭାରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
