ସୁଜଳ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ମିଶନ କାର୍ଯ୍ୟ ସମୀକ୍ଷା ବୈଠକ ୨୦୨୩ ଡିସେମ୍ବର ସୁଦ୍ଧା ସହରକୁ ୨୪ ଘଣ୍ଟିଆ ଶୁଦ୍ଧ ପାନୀୟ ଜଳ
କଟକ : ୨୦୨୩ ଡିସେମ୍ବର ସୁଦ୍ଧା କଟକ ସହରବାସୀଙ୍କୁ ୨୪ ଘଣ୍ଟିଆ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ । ସୁଜଳ ଡ୍ରିଙ୍କିଙ୍ଗ୍ ଫ୍ରମ୍ ଟ୍ୟାପ୍ ମିଶନ ଜରିଆରେ ସହରରେ ଏହି ପ୍ରକଳ୍ପ ଆରମ୍ଭ ହୋଇଥିଲା ବେଳେ ଧାର୍ଯ୍ୟ ସମୟ ଭିତରେ ଯେପରି ସମସ୍ତ କାର୍ଯ୍ୟ ସୁରୁଖୁରୁରେ ଶେଷ ହେବ ସେନେଇ ଆଜି କଟକ ଉନ୍ନୟନ କର୍ତୃପକ୍ଷ(ସିଡିଏ) କାର୍ଯ୍ୟାଳୟରେ ଏକ ସମନ୍ୱିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ସିଡିଏ ଅଧ୍ୟକ୍ଷ ଅନିଲ କୁମାର ସାମଲ ଏଥିରେ ଅଧ୍ୟକ୍ଷତା କରିଥିଲେ ଇ ପ୍ରକାଶ ଥାଉକି, କଟକ ସହରବାସୀଙ୍କୁ ୨୪ ଘଣ୍ଟିଆ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ସକାଶେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୨ ଜାନୁଆରୀରେ ଘୋଷଣା କରିଥିଲେ । ଏହାପରେ ସହରରେ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ ଯୋଜନା କାର୍ଯ୍ୟକାରୀ ହୋଇଥିଲା । ପ୍ରାଥମିକ ପର୍ଯ୍ୟାୟରେ ୪୮ ଓ ୪୯ ନମ୍ବର ୱାର୍ଡରେ ଏହି କାର୍ଯ୍ୟ ଶେଷ ହୋଇଛି । ପରବର୍ତ୍ତୀ ସମୟରେ ସହରର ଅନ୍ୟାନ୍ୟ ଅଂଚଳରେ ଏହି ଯୋଜନା ସକାଶେ ଭିତିଭୂମିକୁ ସଜାଡିବା ପାଇଁ ଅଧିକ ଗୁରୁତ୍ୱ ଦିଆଯାଇଛି । କଟକ ସହରକୁ ମୋଟ ୫୫ଟି ଜୋନରେ ବିଭକ୍ତ କରାଯାଇଛି । ପ୍ରତି ଜୋନରେ ସୁବିଧାରେ ପାନୀୟ ଜଳ ଯୋଗାଣ ପାଇଁ ଓଭର ହେଡ୍ ଟ୍ୟାଙ୍କ୍ ବ୍ୟବସ୍ଥା କରାଯାଇଛି । ବର୍ତମାନ ସୁଦ୍ଧା ୩୭ଟି ଟ୍ୟାଙ୍କ୍ ବ୍ୟବସ୍ଥ୍ୟା ହୋଇଥିଲା ବେଳେ ଆବଶ୍ୟକ ଆଉ ୧୮ଟି ଓଭର ହେଡ ଟ୍ୟାଙ୍କ୍ ନିର୍ମାଣ ପାଇଁ ଟେଣ୍ଡର କାର୍ଯ୍ୟ ସଂପନ୍ନ ହୋଇଛି । ସେଥିମଧ୍ୟରୁ ୯ଟି ପାଇଁ ଜମି ଚିହ୍ନଟ କାର୍ଯ୍ୟ ଶେଷ ହୋଇଥିଲା ବେଳେ ଅବଶିଷ୍ଟ ୯ଟି ପାଇଁ ଜମି ଅଧିଗ୍ରହଣ କରାଯିବ ବୋଲି ବୈଠକରେ ନିଷ୍ପତି ହୋଇଛି । ମିଟର ମାଧ୍ୟମରେ ସହରର ମୋଟ ୯୩ ହଜାର ଉପଭୋକ୍ତାଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ । ପ୍ରତ୍ୟେକ ଘର କନେକ୍ସନ ପଏଣ୍ଟ ପରିବର୍ତନ କରାଯିବ, ଯାହା ଫଳରେ ପାଣି ଲିକ୍ ହେବାର ସମ୍ଭାବନା ହ୍ରାସ ପାଇବ । ତା’ଛଡା ସୁରୁଖୁରୁରେ କାମ ଶେଷ କରିବା ପାଇଁ ୨୯୭ କିଲୋମିଟର ପୁରୁଣା ପିଭିସି ପାଇପ୍ ଲାଇନକୁ ବଦଳାଯିବ । ଆଧୁନିକ ବୈଷୟିକ ଜ୍ଞାନକୈାଶଳ ପ୍ରୟୋଗ କରାଯାଇ ସହରବାସୀଙ୍କୁ ସଂପୂର୍ଣ୍ଣ ଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ଉପରୋକ୍ତ ବ୍ୟବସ୍ଥା କରାଯାଇଛି । ବିଶେଷକରି ଆଇଏସ-୧୦୫୦୦ ୱାଟର କ୍ୱାଲିଟିକୁ ସର୍ବଦା ଦୃଷ୍ଟି ଦିଆଯିବ ବୋଲି ୱାଟକୋର ଜେନେରାଲ ମ୍ୟାନେଜର ଦେବବ୍ରତ ମହାନ୍ତି କହିଛନ୍ତି । ୫୫ଟି ଜୋନ୍ ମଧ୍ୟରୁ ବର୍ତମାନ ଦୁଇଟି ଜୋନର କାମ ଶେଷ ହୋଇଥିଲା ବେଳେ ଡିସେମ୍ବର ସୁଦ୍ଧା ୭ଟି, ଆଗାମୀ ଏପ୍ରିଲ ସୁଦ୍ଧା ୧୧ଟି, ଅଗଷ୍ଟ ସୁଦ୍ଧା ୧୧ଟି ବାକି ଡିସେମ୍ବର ୩୧ ସୁଦ୍ଧା ଆଉ ୧୭ଟି ଜୋନର କାର୍ଯ୍ୟ ସଂପୂର୍ଣ୍ଣ ଶେଷ ହେବ ବୋଲି ୱାଟକୋ ପକ୍ଷରୁ କୁହାଯାଇଛି । ଅନୁଷ୍ଠିତ ବୈଠକରେ ସିଡିଏ ଅଧ୍ୟକ୍ଷ ଶ୍ରୀ ସାମଲଙ୍କ ସମେତ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ସିଡିଏ ଉପାଧ୍ୟକ୍ଷ ତଥା ସିଏମସି କମିଶନର ନିଖିଲ ପୱନ କଲ୍ୟାଣ, ୱାଟ୍କୋ କଟକ ଡିଭିଜନ ଜେନେରାଲ ମ୍ୟାନେଜର ଓ ଅନ୍ୟାନ୍ୟ ବହୁ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
