ଇମର୍ତ୍ତୀ ଦେବୀ ମହିଳା ମହାବିଦ୍ୟାଳୟରେ ‘ବିଶ୍ୱ ଏଡ୍ସ୍ ଦିବସ’
କଟକ : କଟକ ନୟାସଡ଼କସ୍ଥିତ ଇମର୍ତ୍ତୀ ଦେବୀ ମହିଳା ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା (ଏନ୍.ଏସ୍.ଏସ୍) ଓ ଯୁବ ରେଡ଼କ୍ରସ୍ ବିଭାଗର (ୱାଇ.ଆର୍.ସି) ପ୍ରୋଗ୍ରାମ ଅଫିସର ଯଥାକ୍ରମେ ଡ଼କ୍ଟର ଛନ୍ଦା ପଲାଇ ଓ କାଉନ୍ସେଲର ସୁମିତା ଆଚାର୍ଯ୍ୟଙ୍କ ମିଳିତ ଉଦ୍ୟମରେ ‘ବିଶ୍ୱ ଏଡ୍ସ୍ ଦିବସ’ ପାଳିତ ହୋଇଯାଇଅଛି । ସର୍ବପ୍ରଥମେ ଡ଼କ୍ଟର ପଲାଇ ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହିତ ବିଶ୍ୱ ଏଡ୍ସ୍ ଦିବସ ପାଳନର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ତତ୍ପରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼କ୍ଟର ଅବଦୁଲ୍ ଉସମାନ୍ ଖାନ୍ ସୁସ୍ଥ ସମାଜ ଗଠନ ପାଇଁ ଏଡ୍ସ୍ ପ୍ରତି ସଚେତନତା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି କାର୍ଯ୍ୟକ୍ରମରେ କଲେଜ ପରିଚାଳନା ସମିତିର ସଭାପତି ଡ଼ାକ୍ତର ରବି ରଞ୍ଜନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଏଡ୍ସ୍ ରୋଗର କାରଣ, ନିରାକରଣ ଓ ରୋଗ ପ୍ରତିରୋଧର ବିଭିନ୍ନ ଦିଗ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ସଚେତନତା ଉପରେ ଗୁରୁତ୍ୱ ଦେଇଥିଲେ । ଗୃହବିଭାଗର ବରିଷ୍ଠ ଅଧ୍ୟାପିକା ଫିରଦୋସ ନସରିନ୍ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଏଡ୍ସ୍ ରୋଗ ସଂକ୍ରମଣର କାରଣ, ଲକ୍ଷଣ ଓ ରୋଗ ପ୍ରତିରୋଧ ନିମିତ୍ତପୌଷ୍ଟିକ ଖାଦ୍ୟର ଉପାଦେୟତା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ । କଲେଜର ଛାତ୍ରୀମାନଙ୍କ ଦ୍ୱାରା ଏଡ୍ସ୍ ଉପରେ ଏକ ନାଟକ ପରିବେଷଣ କରାଯାଇଥିଲା । ଏହି ନାଟକରେ ଅଭିନୟ କରିଥିବା ଛାତ୍ରୀମାନଙ୍କୁ ଡ଼ାକ୍ତର ସାହୁ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସୁମିତା ଆଚାର୍ଯ୍ୟ ପରିଚାଳନା କରିଥିଲେ । ସର୍ବଶେଷରେ ଯୁବ ରେଡ଼କ୍ରସ ବିଭାଗର ସଦସ୍ୟା ମଂଜୁସ୍ମିତା ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।
