‘ପୁଣ୍ୟଭୂମି’ର ସାରସ୍ୱତ ଉତ୍ସବ ଓ ସମ୍ବର୍ଦ୍ଧନା
କଟକ : ଅଗ୍ରଣୀ ସାହିତ୍ୟ ପତ୍ରିକା ‘ପୁଣ୍ୟଭୂମି’ର ସାରସ୍ୱତ ଆସର ଓ ସମ୍ବର୍ଦ୍ଧନା ଉତ୍ସବ ସାରାଳା ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ପୁଣ୍ୟଭୂମିର ସଂପାଦକ ନାଟ୍ୟକାର ସଂଜିତ୍ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏ ଉତ୍ସବର ସାରଳା ସାହିତ୍ୟ ସଂସଦର ପ୍ରତିଷ୍ଠାତା ଓ ସଭାପତି ବିଶିଷ୍ଟ ସାହିତ୍ୟିକ ଡକ୍ଟର (ଇଂ) ପ୍ରଭାକର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ, ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିବାରେ ସାହିତ୍ୟ ପତ୍ରିକାର ଭୂମିକା ଗୁରୁତ୍ୱପୂର୍ଣ୍ଣ । ପୁଣ୍ୟଭୂମି ଦୀର୍ଘଦିନ ଧରି ଆମ ରାଜ୍ୟର ଲେଖକ ଓ ପାଠକଙ୍କୁ ଯୋଡ଼ିବାରେ ପ୍ରୟାସ କରିଆସୁଛି । ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ କଥାକାର ତରୁଣ କୁମାର ସାହୁ ଯୋଗ ଦେଇ କହିଲେ, ପୁଣ୍ୟଭୂମି ପତ୍ରିକା ସାହିତ୍ୟର ବିଭିନ୍ନ ବିଭାଗର ଲେଖା ପ୍ରକାଶ କରି ପାଠକୀୟ ରୁଚି ପୂରଣ ଦିଗରେ ପ୍ରୟାସ କରୁଛି । ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ପ୍ରାବନ୍ଧିକ ଡକ୍ଟର ବାବାଜୀ ଚରଣ ପଟ୍ଟନାୟକ ଯୋଗ ଦେଇ କହିଲେ, ପୁଣ୍ୟଭୂମି ପାଠକୀୟ ରୁଚିକୁ ଦୃଷ୍ଟି ଦେବା ସହ ନୂତନ ପ୍ରତିଭା ଅନ୍ୱେଷଣରେ ପ୍ରୟାସ କରୁଛି । ବରେଣ୍ୟ ଅତିଥି ଭାବେ ବିଶିଷ୍ଟ ଶିଶୁ ସାହିତ୍ୟିକ ଡକ୍ଟର ସୁନାମଣି ରାଉତ ଓ ଡକ୍ଟର ବିରଞ୍ôଚ କୁମାର ସାହୁ ଯୋଗଦେଇ କହିଲେ ସାହିତ୍ୟର ମୂଲ୍ୟବୋଧଭିତ୍ତିକ ସାହିତ୍ୟ ଲେଖା ପ୍ରକାଶ କରି ପୁଣ୍ୟଭୂମି ସାରସ୍ୱତ ଜଗତରେ ଗୌରବ ଅର୍ଜନ କରିଛି । ସଭାପତି ଶ୍ରୀ ପଟ୍ଟନାୟକ ତାଙ୍କ ଅଭିଭାଷଣରେ ଅଧିକରୁ ଅଧିକ ପାଠକ ସୃଷ୍ଟି କରିପାରିଲେ ସାହିତ୍ୟ ପତ୍ରିକା କାଳଜୟୀ ହୋଇପାରିବ ବୋଲି ମତ ରଖିଥିଲେ । ଏହି ଅବସରରେ ସାହିତ୍ୟ କ୍ଷେତ୍ରରେ ପଣ୍ଡିତ ନାରାୟଣ ଶତପଥୀ, ବିଚିତ୍ରାନନ୍ଦ ପଣ୍ଡା, ଗୋବିନ୍ଦ ଚନ୍ଦ୍ର ନନ୍ଦ, ଦୀନବନ୍ଧୁ ପଣ୍ଡା, ଶକୁନ୍ତଳା ଦାସ, ବିଜୟଲକ୍ଷ୍ମୀ ସାହୁ, ଗୋଲକ ଚନ୍ଦ୍ର ପଲେଇ, ଆଶିଷ କୁମାର ବଳ, ରଞ୍ଜନ କୁମାର ସାହୁ, ସାବିତ୍ରୀ ମିଶ୍ରଙ୍କୁ ମାନପତ୍ର, ଉପଢୌକନ ଓ ପୁଷ୍ପଗୁଚ୍ଛ ସମ୍ବର୍ଦ୍ଧିତ କରାଯାଇଥିଲା । ବିଶିଷ୍ଟ କବି ରାଜକିଶୋର ଦାସଙ୍କ ସଭାପତିତ୍ୱରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଶେଷରେ ସାମ୍ବାଦିକ ଦିଲ୍ଲୀପ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
