ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ
ସୁବର୍ଣ୍ଣପୁର : ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ତଥା ନିର୍ବାଚନ ପର୍ଯ୍ୟବେକ୍ଷକ ଡ଼ଃ. ସୁରେଶ ଚନ୍ଦ୍ର ଦଳେଇ ଆଜି ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ ରେ ଆସି ଜିଲ୍ଲାର ନିର୍ବାଚନ ଓ ରାଜସ୍ୱ ବିଭାଗ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମର କାର୍ଯ୍ୟକାରିତାର ସମୀକ୍ଷା କରିଛନ୍ତି । ସେ ଏହି ପରିପ୍ରେକ୍ଷୀରେ ଉଲୁଣ୍ଡା ଫାଇଭ-ଟି ଉଚ୍ଚ ବିଦ୍ୟାଳୟ ସହ ଉଦେପଦର ଓ ନାଏକପଡା ସ୍କୁଲ ସ୍ଥିତ ବୁଥ୍ ଗୁଡିକର ପରିଦର୍ଶନ କରିଥିଲେ । ପରିଦର୍ଶନ ସମୟରେ ଉପଜିଲ୍ଲାପାଳ ବୀରମହାରାଜପୁର ଅଶୋକ ଭୋଇ, ଏ.ବି.ଡି.ଓ. ଉଲୁଣ୍ଡା ଶୁଭ୍ରାଂଶୁ ମଲ୍ଲିକ, ବି.ଏସ.ଏସ.ଓ. କ୍ଷୀରୋଦ୍ର ଭୂଷଣ ରାଏଙ୍କ ସମେତ ସୁପରଭାଇଜର, ବି.ଏଲ.ଓ. ଓ ସ୍କୁଲର ପ୍ରଧାନ ଶିକ୍ଷକ ପ୍ରମୁଖ ଉପସ୍ଥିତ ଥିବା ବେଳେ ଡ଼ଃ. ଦଳେଇ ଉପସ୍ଥିତ ଅଧିକାରୀଙ୍କ ସହ ସ୍କୁଲର ଭିତିଭୂମି, ଶିକ୍ଷାଦାନ ତଥା ଶିକ୍ଷାର ଗୁଣାତ୍ମକ ମାନ ଓ ଅନୁଷ୍ଠାନର ବାର୍ଷିକ ଫଳାଫଳ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି । ପରେ ପରେ ଜିଲ୍ଲାପାଳ ସୁବର୍ଣ୍ଣପୁରଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ରାଜନୈତିକ ଦଳର ନେତା /ପ୍ରତିନିଧିଙ୍କ ସହ ଜିଲ୍ଲାର ନୂତନ ଭୋଟର ପଞ୍ଜିକରଣର ସ୍ଥିତି ଓ ଅଗ୍ରଗତି ଓ ଆଧାର ସଂଯୋଗୀକରଣ ଉପରେ ବିଶେଷ ଆଲୋଚନା କରି ଜିଲ୍ଲାର ନୂତନ ଭୋଟର ପଞ୍ଜିକରଣକୁ ଶତ ପ୍ରତିଶତ ସଫଳ କରିବାରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ଆନ୍ତରିକ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି । ଏହି ଆଲୋଚନା ବୈଠକରେ ବିଜେଡି ଦଳରୁ କଇଁରୁ ସ୍ୱାଇଁ, ବିଜେପି ଦଳରୁ ସୁଶାନ୍ତ କୁମାର ସାହୁ, ଭାରତୀୟ ଜାତୀୟ କଂଗ୍ରେସ ଦଳରୁ ଶେଷଦେବ ମେହେର, ଏସ.ୟୁ.ସି.ଆଇ. ରୁ ଗୋବିନ୍ଦ ମହାରଣା, ବି.ଏସ.ପି. ରୁ ଅନିଲ କୁମାର ତାଣ୍ଡି ପ୍ରମୁଖ ଉପସ୍ଥିତ ରହିଥିଲେ । ତତ୍ପରେ ଜିଲ୍ଲାର ରାଜସ୍ୱ ବିଭାଗ ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟକ୍ରମର କାର୍ଯ୍ୟକାରୀତା ଉପରେ ରାଜସ୍ୱ ଆୟୁକ୍ତ ଡ଼ଃ. ଦଳେଇ ସମୀକ୍ଷା କରିଥିଲେ । ସମୀକ୍ଷା ବୈଠକରେ ସେ ଉପସ୍ଥିତ ରାଜସ୍ୱ ଅଧିକାରୀଙ୍କୁ ବିଭାଗୀୟ କାର୍ଯ୍ୟକ୍ରମ ଗୁଡିକୁ ସରକାରଙ୍କ ନିର୍ଦେଶ ମୁତାବକ ସମୟ ଅବଧିରେ ସମ୍ପୂର୍ଣ୍ଣ କରିବା, ସରକାରଙ୍କ ବିଭିନ୍ନ ବିଭାଗୀୟ ଅଦେଶାନାମାକୁ ପୂର୍ଣ୍ଣ କାର୍ଯ୍ୟକାରୀ କରିବା ତଥା ବିଭିନ୍ନ ତଥ୍ୟ ପ୍ରଦାନକୁ ସମୟ ମଧ୍ୟରେ ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଛନ୍ତି । ସେ ଏହି ଅବସରରେ ରାଜସ୍ୱ ବିଭାଗ ତରଫରୁ କାର୍ଯ୍ୟକାରୀ ମ୍ୟୁଟେସନ କେସ, ହାଇଟେକ ସର୍ଭେ, ବେ- ବନ୍ଦୋବସ୍ତ ବ୍ୟବସ୍ଥା ତଥା ନୂତନ ନିର୍ମାଣ ହେବାକୁ ଥିବା ଆର.ଆଇ. କାର୍ଯ୍ୟାଳୟ, ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର ଗୁଡିକର ସ୍ଥିତି ଓ ଅଗ୍ରଗତି ଉପରେ ପଚାରି ବୁଝିବା ସହ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଗୁରୁତ୍ୱାରୋପ କରିଛନ୍ତି । ରାଜସ୍ୱ ଆୟୁକ୍ତଙ୍କ ସମୀକ୍ଷା ବୈଠକରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲି ସୁନୀଲ ନରୱଣେ, ଅତିରିକ୍ତ ଜିଲ୍ଲାପାଳ ନିଶି ପୁନମ ମିଞ୍ଜ, ଉପଜିଲ୍ଲାପାଳ ସୋନପୁର ଡ଼ଃ. ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ଉପଜିଲ୍ଲାପାଳ ବୀରମହାରାଜପୁର ଅଶୋକ ଭୋଇ, ଡେପୁଟି କଲେକ୍ଟର ଆନନ୍ଦ ଚନ୍ଦ୍ର ପଣ୍ଡା, ଅଭିଳାଷ ପୁରୋହିତ, ଶ୍ରୀମତୀ ଯଶସ୍ୱୀନୀ ପୃଥାଲଙ୍କ ସମେତ ସମସ୍ତ ତହସିଲଦାର, ବିଭାଗୀୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
