ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର
ଝାରସୁଗୁଡ଼ା : ଲଇକେରା ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିରରେ ଆଜି ମୋଟ ୩୪ଗୋଟି ଅଭିଯୋଗ ଶୁଣାଣି ହୋଇଛି । ଏଥି ମଧ୍ୟରୁ ୬ଟି ସାମୁହିକ ଓ ୨୮ଟି ବ୍ୟକ୍ତିଗତ । ରେଙ୍ଗାଲବେଡ଼ା ରେ ଜଳନିଧି ଯୋଜନାରେ ବିଦ୍ୟୁତ ମିଟର ସଂଯୋଗ, ମୟୁରଡିମାରେ ଖରିଫ ଧାନ କ୍ରୟ, ମୁଦ୍ରାଜୋରରେ ଆଦର୍ଶ ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ସମ୍ପନ୍ନ କରାଯିବା, ଖଇରଡିହିରେ ଜଙ୍ଗଲ ଜମି ପଟ୍ଟା ପ୍ରଦାନ ଆଦି ୬ଟି ସାମୁହିକ ଅଭିଯୋଗର ଶୁଣାଣି କରାଯାଇଥିଲା । ସେହିପରି ଲଇକେରା ଗ୍ରାମ ପଂଚାୟତ କାର୍ଯ୍ୟାଳୟରେ କାର୍ଯ୍ୟରତ ପିଏଙ୍କ ନାମରେ ଅଭିଯୋଗ, ମଧୁବାବୁ ପେନସନ, ପଂଚାୟତ କମ୍ପେ୍ଲକ୍ସରେ ଦୋକାନ ଗୃହ ବଣ୍ଟନ, ଜମି ବିବାଦ, ବସ୍ତି ପ୍ଲଟ ଖାରଜ, କେନ୍ଦୁଡିହି ପଂଚାୟତରେ ନୂତନ ବିଦ୍ୟୁତ ଟ୍ରାନ୍ସଫର୍ମର ସ୍ଥାପନ, ଜମି ସୀମା ଚିହ୍ନଟ, ଘରଡିହ ଭାଗ ପାଇବା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହ ଯୋଗାଣ ଆଦି ୨୮ଗୋଟି ବ୍ୟକ୍ତିଗତ ଅଭିଯୋଗ ସମ୍ପର୍କରେ ଶୁଣାଣି କରାଯାଇଥିଲା । ଅଭିଯୋଗ ଶିବିରରେ ଚିକିତ୍ସା ସହାୟତା ବାବଦକୁ ରେଡକ୍ରସ୍ ପାଣ୍ଠିରୁ ପାଂଚ ଜଣଙ୍କୁ ପଚିଶ ହଜାର ଟଙ୍କା ପ୍ରଦାନ କରାଯାଇଛି । ଅଭିଯୋଗ ଗୁଡ଼ିକ ସମ୍ପର୍କରେ ଶୁଣାଣି କରି ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଏ ଦିଗରେ ଯଥା ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ ଶୁଣାଣି ହୋଇଥବା ଅଭିଯୋଗଗୁଡ଼ିକ ସମ୍ପର୍କରେ ସମୀକ୍ଷା କରି ସମାଧାନ ହୋଇ ନଥିବା ଅଭିଯୋଗଗୁଡିକ ସମ୍ପର୍କରେ ଯଥାଶୀଘ୍ର ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ , ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ତପିରାମ ମାଝୀ, ଉପ ଜିଲ୍ଲାପାଳ ଦୟାମୟ ପାଢ଼ୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଲେଖ ଘୁଟା ଙ୍କ ସମେତ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
