ଗର୍ଭାଶୟ କର୍କଟ ନିରାକରଣ କାର୍ଯ୍ୟକ୍ରମ ଅନୁଧ୍ୟାନ କଲେ ନରୱେ ରାଷ୍ଟ୍ରଦୂତ ଦେଶର ପ୍ରଥମ ପାଇଲଟ୍ ପ୍ରୋଜେକ୍ଟ କଟକରେ
କଟକ : ନରୱେର ରାଷ୍ଟ୍ରଦୂତ ହାନ୍ସ ଜ୍ୟାକବ୍ ଆଜି କଟକରେ ପହଂଚି ସହରରେ ଚାଲିଥିବା ଗର୍ଭାଶୟ ନିରାକରଣ କାର୍ଯ୍ୟକ୍ରମ ଅନୁଧ୍ୟାନ କରିଛନ୍ତି । ପୂର୍ବାହ୍ନରେ ସେ ଥୋରିଆସାହିସ୍ଥିତ କଟକ ମହାନଗର ତଥା ଜାତୀୟ ସହରାଂଚଳ ସ୍ୱାସ୍ଥ୍ୟ ମିଶନ ଅଧିନରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଂଚି ରୋଗୀ ଓ ହିତାଧିକାରୀମାନଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ । ସେ ଏଥିରେ ସନ୍ତୋଷ ପ୍ରକାଶ କରି ଏହା ଦେଶର ସର୍ବପ୍ରଥମ ପାଇଲଟ୍ ପ୍ରୋଜେକ୍ଟ ବୋଲି ଅଭିହିତ କରିଥିଲେ । ପ୍ରାଥମିକ ପର୍ଯ୍ୟାୟରେ ମହିଳାମାନଙ୍କୁ ସଚେତନ କରାଇବା ଓ ସେମାନଙ୍କୁ ଚିକିତ୍ସା କେନ୍ଦ୍ରକୁ ଆଣି ପରାମର୍ଶ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଇଥିବା ଆଶାକର୍ମୀ ଓ ଏଏନ୍ଏମ୍ମାନଙ୍କୁ ସେ କୃତଜ୍ଞତା ଜ୍ଞାପନ କରିଥିଲେ Iପ୍ରକାଶ ଥାଉକି, ଦେଶରେ ଗର୍ଭାଶୟ କର୍କଟ ଏକ ଜଟିଳ ରୂପ ଧାରଣ କରୁଥିବା ସଂକ୍ରାନ୍ତରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍ଓ) ପକ୍ଷରୁ ରିପୋର୍ଟ ପ୍ରକାଶ ପାଇବା ପରେ ‘ନରୱେ-ଇଣ୍ଡିଆ ପାର୍ଟନରସିପ୍ ଇନିସିଏଟିଭ୍’(ଏନଆଇପିଆଇ) ପକ୍ଷରୁ ଦେଶରେ ଗର୍ଭାଶୟ କର୍କଟ ନିରାରକଣ ପାଇଁ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । କିଛ ଦିନ ପୂର୍ବେ ଦେଶର ପ୍ରଥମ ପାଇଲଟ୍ ପ୍ରୋଜେକ୍ଟ ଭାବେ ଏହି କାର୍ଯ୍ୟକ୍ରମ କଟକରେ କାର୍ଯ୍ୟକାରୀ କରାଯାଇଥିଲା । ଜାତୀୟ ସହରାଂଚଳ ସ୍ୱାସ୍ଥ୍ୟ ମିଶନ ଜରିଆରେ ‘ସିଟି ହେଲଥ୍ ସୋସାଇଟି’ ମିଳିତ ଉଦ୍ୟମରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ଥୋରିଆସାହି ଓ ଆଖପାଖ ଅଂଚଳର ୩୦ରୁ ୬୫ ବର୍ଷର ମହିଳାଙ୍କର ଗର୍ଭାଶୟ ପରୀକ୍ଷା କରାଯାଇ ୨୯ ଜଣଙ୍କର ଚିକିତ୍ସା କରାଯାଇଥିଲା । ଅନୁଷ୍ଠିତ କାର୍ଯ୍ୟକ୍ରମରେ ସିଏମସି ମେୟର ସୁବାସ ସିଂ, କମିଶନର ନିଖିଲ ପୱନ କଲ୍ୟାଣ, ସମସ୍ତ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର, କଟକ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡା. ସତ୍ୟବ୍ରତ ଛୋଟରାୟଙ୍କ ସମେତ ଜାତୀୟ ସହରାଂଚଳ ସ୍ୱାସ୍ଥ୍ୟ ମିଶନର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।
