୩ ଫୁଟ ଘାଇକୁ ଖସିଲା ଆମ୍ବୁଲାନ୍ସ, ଚାଳକ ଆହତ
ସିମୁଳିଆ : ବାଲେଶ୍ୱର ଜିଲା ସିମୁଳିଆ ଥାନା ଠାରୁ ୨କିମି ଦୂର ୧୬ନଂ ଜାତୀୟ ରାଜପଥର ଭଗିଆ ନିକଟରେ ଜନନୀ ଓ ଶିଶୁ ମାନଙ୍କ ସେବାରେ ନିୟୋଜିତ ୧୦୮ଆମ୍ବୁଲାନ୍ସ ଓଲଟି ପଡ଼ିବା ଯୋଗୁଁ ଏହାର ଚାଳକ ବିଜୟ ସେଠୀ ଆହତ ହୋଇଛନ୍ତି । ଅପରପକ୍ଷେ ଓଲଟି ପଡ଼ିଥିବା ଗାଡ଼ି ମଧ୍ୟରୁ ଗାଡ଼ିର ବିଭିନ୍ନ କାଗଜପତ୍ର ସମେତ ଡିଜେଲ କାର୍ଡ଼ ଗାୟବ ହୋଇଯାଇଥିବାର ସୂଚନା ମିଳିଛି ।
ସୋମବାର ବିଳମ୍ବିତ ରାତ୍ରୀରେ ସିମୁଳିଆ ବ୍ଲକର ବାଲିଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ଏହି ୧୦୮ଆମ୍ବୁଲାନ୍ସଟି ଜଣେ ପ୍ରସୂତିଙ୍କୁ ସିମୁଳିଆ ମେଡ଼ିକାଲରେ ଛାଡ଼ି ଫେରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଅନ୍ୟଏକ ଧାନ ବୋଝେଇ ଟ୍ରକ ଆମ୍ବୁଲାନ୍ସ ଆଡ଼କୁ ମାଡ଼ିଆସିଥିଲା । ଫଳରେ ବାମପାଶ୍ୱର୍କୁ ଆମ୍ବୁଲାନ୍ସ ଚାଳକ ସାଇଡ଼ କରୁଥିବା ବେଳେ ସଡ଼କ ସମ୍ପ୍ରସାରଣ ପାଇଁ ଖୋଳାଯାଇଥିବା ୩ଫୁଟ ଘାଇ ମଧ୍ୟକୁ ଖସିପଡ଼ିଥିଲା । ଫଳରେ ଆମ୍ବୁଲାନ୍ସ ଚାଳକଙ୍କ ଡାହାଣ ହାତ ଓ ଛାତିରେ ଆଘାତ ଲାଗିଛି ।
