ଡିସେମ୍ବର ୨ରୁ ଦୁଇଦିନିଆ ନିଯୁକ୍ତି ମେଳା, ପ୍ରାର୍ଥୀଙ୍କ ନିମନ୍ତେ ପ୍ରଶାସନ ତରଫରୁ ବସ ସୁବିଧା
ସମ୍ବଲପୁର: ଆସନ୍ତା ଡ଼ିସେମ୍ବର ୨ ଏବଂ ୩ ତାରିଖରେ ହେବାକୁ ଥିବା ମିନି ନିଯୁକ୍ତି ମେଳାର ପ୍ରସ୍ତୁତି ସମୀକ୍ଷା କରିଛନ୍ତି ଅତିରିକ୍ତ ଜିଲାପାଳ ଅଜାମ୍ବର ମହାନ୍ତି । ସ୍ଥାନୀୟ ଏସ.ଏସ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲାପାଳ ନିଯୁକ୍ତି ମେଳା ନିମନ୍ତେ ସମସ୍ତ ପ୍ରସ୍ତୁତିକୁ ଆଗଆ ସାରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଟେଣ୍ଟ, ପାନୀୟ ଜଳ, ବିଦ୍ୟୁତ ସେବା, ଖାଦ୍ୟ ସମେତ ଅନ୍ୟ ଆନୁସଙ୍ଗିକ ବ୍ୟବସ୍ଥା କୁ ନିଶ୍ଚିତ କରିବାପାଇଁ ଅତିରିକ୍ତ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ଯେ, ଏହି ନିଯୁକ୍ତି ମେଳା ଆସନ୍ତା ଡ଼ିସେମ୍ବର ୨ ତାରିଖରେ ଜମନକିରା କଲେଜ ଜମନକିରା ଏବଂ ୩ ତାରିଖରେ ବୁର୍ଲା ହାଇସ୍କୁଲ ଠାରେ ଅନୁଷ୍ଠିତ ହେବ । ଅଧିକରୁ ଅଧିକ ଆଶାୟୀ ପ୍ରାର୍ଥୀ ଯୋଗ ଦେବେ ସେଥିପାଇଁ ପ୍ରଚାର ପ୍ରସାରକୁ ଗୁରୁତ୍ୱ ଦିଆଯାଇଛି । ଆଶାୟୀ ପ୍ରାର୍ଥୀ ମାନଙ୍କ ଯାତାୟାତ ସୁବିଧା ନିମନ୍ତେ ପ୍ରଶାସନ ତରଫରୁ ବସର ସୁବିଧା କରାଯାଇଛି । ଏହି ନିଯୁକ୍ତି ବହୁ ଏମ୍ପ୍ଲୟର/ ଏଜେନ୍ସୀ/ ପିଆଇଏ ଯେପରି ଏସବିଆଇ ଲାଇଫ, ମୁଥୁଟ ମାଇକ୍ରୋଫିନ ଲିମିଟେଡ଼, ମେଡିପ୍ଲୁସ, ସତୀନ କ୍ରେଡିଟ କ୍ୟାୟାର, ରିଲାଇନ୍ସ ଜିଓ, ଏଚସିଏଲ ଟେକ ବି, ସିପେଟ, ୱାଇପର, ପାନ ଆଇଆଇଟି ଇତ୍ୟାଦି ଯୋଗ ଦେବା ନିମନ୍ତେ ସମ୍ମତି ପ୍ରକାଶ କରିଥିବା ଆଞ୍ଚଳିକ ନିର୍ଦ୍ଦେଶ ନିଯୁକ୍ତି ଶଙ୍କର ଚରଣ ମୁର୍ମୁ ପ୍ରକାଶ କରିଛନ୍ତି । ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ ଜମନକିରା ବିଡ଼ିଓ ଟୁନୁ ମେହେର, ଧନକଉଡା ବିଡ଼ିଓ ସଂଜୀବ ପଟେଲ, ଅରମାସ ଡେପୁଟି ସିଇଓ ଶ୍ରୀମନ୍ତ ହୋତା ସମେତ ଲାଇନ ବିଭାଗର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ ।
