ବସ୍ତି ଉଚ୍ଛେଦ ନିଷ୍ପତି ପ୍ରତିବାଦରେ ବିକ୍ଷୋଭ
କଟକ : ମହାନଦୀ ପାଶ୍ୱର୍ ହାତୀଗଡା, ହରିଣ ପାର୍କ ଓ ଅନ୍ୟାନ୍ୟ ବସ୍ତିଗୁଡିକୁ ଉଚ୍ଛେଦ ପ୍ରତିବାଦରେ ବସ୍ତି ବାସିନ୍ଦା ମିଳିତ ମଂଚ ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମଞ୍ଚର ଆବାହକ ଖଗେଶ୍ୱର ସେଠୀଙ୍କ ନେତୃତ୍ୱରେ ବସ୍ତି ନେତା ଦୀପକ ଦାସ, ସସ୍ମିତା ମହାନ୍ତି, ଅପରାଜିତା ନାୟକ, ସୀତାମଣି ନାୟକ, ତନୁଶ୍ରୀ ବେହେରା, ସତୀ ଦେଈ, ସୁଲୋଚନା ନାୟକ, ମିନା ନାୟକ, କାଂଚନ ନାୟକ, କବିତା ନାୟକ ପ୍ରମୁଖ ଏହି ବିକ୍ଷୋଭ ପରିଚାଳନା କରିଥିଲେ । ମହାନଦୀ ପାଶ୍ୱର୍ ସୈାନ୍ଦର୍ଯ୍ୟକରଣ ଆଳରେ ପିଢି ପିଢି ଧରି ରହିଆସୁଥିବା ବସ୍ତିଗୁଡିକୁ ବେଆଇନ ଭାବେ ଉଚ୍ଛେଦ ପାଇଁ ନିଷ୍ପତି ରାଜ୍ୟ ସରକାର ୨୦୧୭ ଆଇନ ପରିପନ୍ଥୀ , ସଂପୂର୍ଣ୍ଣ ଅସାମ୍ବିଧାନିକ ଓ ଦୁର୍ଭାଗ୍ୟ ପୂର୍ଣ୍ଣ ଅଟେ । ବସ୍ତି ବାସିନ୍ଦାଙ୍କୁ ଜାଗା ମିଶନରେ ଭୂମି ପ୍ରମାଣପତ୍ର ଦିଆଯିବ ବୋଲି ସାଇନ ବୋର୍ଡ ମାରି ପ୍ରଚାର ସର୍ବସ୍ୱ ରାଜନୀତି କରୁଛନ୍ତି । ଅନ୍ୟପଟେ ସୈାନ୍ଦର୍ଯ୍ୟକରଣ ନାଁରେ କର୍ପୋରେଟମାନଙ୍କୁ ପୋଷିବା ପାଇଁ ଗରିବ ବସ୍ତି ବାସିନ୍ଦାଙ୍କ ପାଇଁ ଗରିବ ବସ୍ତି ବାସିନ୍ଦାଙ୍କ ବାସ,ଜୀବନ ଓ ତାଙ୍କର ସମ୍ବିଧାନ ଅଧିକାର ହରଣ କରୁଛନ୍ତି । ଏହି ବସ୍ତିଗୁଡିକରେ ସଫେଇ କର୍ମୀ, ଟ୍ରଲି ଚାଳକ, ରିକ୍ସା ଚାଳକ ଓ ବିଭିନ୍ନ ଦିନ ମଜୁରିଆ ପରିବାର ରହୁଛନ୍ତି । ଏବେ କୈାଣସି ସୂଚନା ନ ଦେଇ ଗତକାଲି ଭୋରରୁ ପିଏଚଡି କର୍ମଚାରୀମାନେ ବସ୍ତି ଉଚ୍ଛେଦ ହେବା କଥା କହି ଅମୃତ ଯୋଜନାେରେ ପିଇବା ପାଣି ସଂଯୋଗ ଦିଆଯାଇଥିବା ପାଇପ ଲାଇନ କାଟି ଦେଇ ପାଣି ମିଟର କାଢି ନେଇଛନ୍ତି । ଏହା ଅତ୍ୟନ୍ତ ଅମାନବୀୟ ଘଟଣା । ତୁରନ୍ତ ପିଇବା ପାଣି ସଂଯୋଗ ଦେବା ସହ ବେଆଇନ ଉଚ୍ଛେଦ ବନ୍ଦ କରିବାକୁ ବସ୍ତି ବାସିନ୍ଦାଙ୍କ ମିଳିତ ମଂଚ ପକ୍ଷରୁ ଦାବି କରାଯାଇଛି । ଏହି ମର୍ମରେ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।
