ଇନ୍ଫିନିଟି ରିଅଲ୍କନ୍ ଠକେଇ : ପ୍ରଣବ ମୁଖାର୍ଜୀଙ୍କ ଜାମିନ ଆବେଦନର ଶୁଣାଣି ଶେଷ, ରାୟ ସଂରକ୍ଷିତ
କଟକ : ଚିଟ୍ଫଣ୍ଡ୍ ସଂସ୍ଥା ଇନ୍ଫିନିଟି ରିଅଲ୍କନ୍ ନିର୍ଦ୍ଦେଶକ ପ୍ରଣବ ମୁଖାର୍ଜୀଙ୍କ ଜାମିନ ଆବେଦନ ଉପରେ ଶୁଣାଣି ଶେଷ ହୋଇଛି । ବିଚାରପତି ଦେବବ୍ରତ ଦାଶ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି । ସାଧାରଣ ଲୋକଙ୍କୁ ପ୍ରଲୋଭନ ଦେଖାଇ ଠକିବା ଅଭିଯୋଗରେ ସିବିଆଇ ତାଙ୍କୁ ୨୦୧୬ ସେପ୍ଟେମ୍ବର ମାସରେ ଗିରଫ କରି କୋର୍ଟ ଚାଲାଣ କରିଥିଲା । ହଜାର ହଜାର ଲୋକଙ୍କଠାରୁ ଏହି ସଂସ୍ଥା ୬୨୦ କୋଟି ଟଙ୍କାରୁ ଅଧିକ ଟଙ୍କା ଠକେଇ କରିଥିଲା । ଏଥିସହ ଅନ୍ୟ ସହଯୋଗୀ ପ୍ରବୀର ମୁଖାର୍ଜୀ, ଦେବବ୍ରତ ସିହ୍ନାଙ୍କୁ ଗିରଫ କରାଯାଇଥିଲା । ସୂଚନାଯୋଗ୍ୟ ଯେ, ସୁପ୍ରିମକୋର୍ଟ ନିର୍ଦ୍ଦେଶରେ ସିବିଆଇ ୨୦୧୪ ମେ ମାସ ୯ ତାରିଖରେ ଏହି ସଂସ୍ଥା ବିରୋଧରେ ମାମଲା ପଂଜିକୃତ କରିଥିଲା । ତେବେ ଜାମିନ ପାଇଁ ସେ ହାଇକୋର୍ଟରେ ଆବେଦନ କରିଛନ୍ତି । ସିବିଆଇ ପକ୍ଷରୁ ଆଇନଜୀବୀ ସାର୍ଥକ ନାୟକ ମାମଲା ପରିଚାଳନା କରୁଛନ୍ତି ।
