ମା’ଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଅସହାୟଙ୍କୁ କମ୍ବଳ ବଣ୍ଟନ
କଟକ : ସିଏମସି ୪୭ନଂ ୱାର୍ଡ ଅନ୍ତର୍ଗତ ମହାନଦୀବିହାର ବ୍ୟାଙ୍କ ଛକଠାରେ ଧନୁର୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆଜି ଟ୍ରଷ୍ଟର ଅଧ୍ୟକ୍ଷ ସମାଜସେବୀ ଭଗବାନ ବିଶ୍ୱାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅସହାୟ ଲୋକମାନଙ୍କୁ କମ୍ବଳ ବଂଟନ କରାଯାଇଛି । ଏହି ଅବସରରେ ଶ୍ରୀ ବିଶ୍ୱାଳ କହିଥିଲେ, ମୋ ବାପା ଓ ମା’ ସବୁବେଳେ ଅସହାୟ, ଗରିବ ଓ ମେହନତୀ ମଣିଷଙ୍କୁ ସାହାଯ୍ୟ ସହାୟତା କରୁଥିଲେ, ଯାହା ମୁଁ ପିଲା ବେଳେ ଦେଖିଥିଲି । ମା’ କହୁଥିଲେ ମାନବ ସେବା ହିଁ ମାଧବ ସେବା । ଯାହା ମୋତେ ଏପରି କାର୍ଯ୍ୟକ୍ରମ କରିବାକୁ ପ୍ରେରଣା ଯୋଗାଇଛି । ବାପାଙ୍କ ସ୍ମୃତି ରକ୍ଷା କରିବା ଉଦ୍ଦେଶ୍ୟରେ ଏହି ଟ୍ରଷ୍ଟ ଖୋଲାଯାଇ ସମାଜର ଅସହାୟ ଓ ଗରିବ ଲୋକମାନଙ୍କୁ ସେବା ପ୍ରଦାନ କରାଯାଉଛି । ଶ୍ରୀ ବିଶ୍ୱାଳଙ୍କ ମା’ ଅମ୍ବିକା ବିଶ୍ୱାଳଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଦେଢ଼ ହଜାରରୁ ଉର୍ଦ୍ଧ୍ୱ ଗରିବ, ଅସହାୟ ଲୋକମାନଙ୍କୁ କମ୍ବଳ ବିତରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ମୁରବି ଶରତ ଚନ୍ଦ୍ର ପ୍ରଧାନ, ଦିପ୍ତୀରଞ୍ଜନ ବିଶ୍ୱାଳ, ରବିନ୍ଦ୍ର ତ୍ରିପାଠୀ, ଗୋଲକ କାନୁନଗୋ, ନୀଳମଣି ବଳ ପ୍ରମୁଖ ଉପସ୍ଥିତ ରହି ସହାୟତା କରିବା ସହ ସମାଜସେବୀ ଶ୍ରୀ ବିଶ୍ୱାଳଙ୍କ ଏପରି କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ ।
