ଜିଲାପ୍ରଶାସନର ଲିଖିତ ପ୍ରତିଶ୍ରୁତି, ସଚେତନ ନାଗରିକ ମଞ୍ଚର ଅନଶନ ପ୍ରତ୍ୟାହୃତ
ବାଲେଶ୍ଵର : ବାଲେଶ୍ଵର ଜିଲା ପ୍ରଶାସନର ଲିଖିତ ପ୍ରତିଶ୍ରୁତି ପରେ ମଙ୍ଗଳବାର ରାତି ୮ଟାରେ ସଚେତନ ନାଗରିକ ମଞ୍ଚର ସଦସ୍ୟ ମାନେ ଅନଶନ ପ୍ରତ୍ୟାହାର କରିନେଇଛନ୍ତି । ଗତ ୧୪ ତାରିଖ ଠାରୁ ମଞ୍ଚ ପକ୍ଷରୁ ବିର୍ଲା ଟାୟାର୍ସ ଓ ବାଲେଶ୍ଵର ଆଲୋଏଜ କାରଖାନା ପୁନଃକାର୍ଯ୍ୟକ୍ଷମ କରିବା ଦାବିରେ ବିକ୍ରମ ପଣ୍ଡାଙ୍କ ନେତୃତ୍ୱରେ ଅନଶନ ଆରମ୍ଭ ହୋଇଥିଲା। ଏହି ଅନଶନକୁ ସବୁ ବର୍ଗର ଲୋକମାନେ ନୈତିକ ସମର୍ଥନ ଦେଇଥିଲେ । ଏପରିକି ବହୁ ରାଜନୈତିକ ବ୍ୟକ୍ତି ମାନେ ମଧ୍ୟ ଅନଶନ ସ୍ଥଳକୁ ଆସି ବିକ୍ରମ ପଣ୍ଡାଙ୍କ ନିଷ୍ପତ୍ତିକୁ ସମର୍ଥନ ଦେଇ ନିଜର ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିଥିଲେ ।
ଏପରିକି ଆଜି ଜିଲାପାଳ ମଧ୍ୟ ଏ ସମ୍ପର୍କରେ ବିକ୍ରମଙ୍କ ସହ ଟେଲିଫୋନରେ ଆଲୋଚନା କରିଥିଲେ। ତେବେ ଆଜି ରାତିରେ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ର ଅନଶନ ସ୍ଥଳରେ ପହଂଚି କାରଖାନା ଖୋଲିବା ସମ୍ପର୍କରେ ବିକ୍ରମଙ୍କ ସହ ଆଲୋଚନା କରିଥିଲେ ଓ ଏକ ଲିଖିତ ପ୍ରତିଶ୍ରୁତି ପତ୍ର ପ୍ରଦାନ କରିଥିଲେ। ମାତ୍ର ଉକ୍ତ ପ୍ରତିଶୃତି ପତ୍ରରେ ବିର୍ଲା ଟାୟାର୍ସ କିମ୍ବା ବାଲେଶ୍ୱର ଆଲୋଏଜ କାରଖାନାର ନାମ ଉଲ୍ଲେଖ ନଥିବାରୁ ଅନଶନକାରୀ ମାନଙ୍କ ମଧ୍ୟରେ ସାମାନ୍ୟ ସଂଶୟ ଓ କ୍ଷୋଭ ସୃଷ୍ଟି ହୋଇଥିଲା ।
ତେବେ ଅତିରିକ୍ତ ଜିଲାପାଳ ବୁଝାଇବା ପରେ ଅନଶନରେ ବସିଥିବା ସଦସ୍ୟମାନେ ଅନଶନ ସ୍ଥଗିତ ରଖିଥିଲେ । ଆଗାମୀ ଏକ ମାସ ମଧ୍ୟରେ ବାଲେଶ୍ଵର ଆଲୋଏଜ କାର୍ଯ୍ୟକ୍ଷମ ନହେଲେ ସଚେତନ ନାଗରିକ ମଞ୍ଚ ପରବର୍ତ୍ତୀ ନିଷ୍ପତ୍ତି ନେବେ ବୋଲି ନିଜ ପ୍ରତିକ୍ରିୟାରେ ବିକ୍ରମ ପଣ୍ଡା ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି। ଶେଷରେ ବରିଷ୍ଠ ନେତା ତଥା ସାମ୍ୟବାଦୀ ନେତା ଗୌରାଙ୍ଗ ପାଣିଗ୍ରାହୀ ଅନଶନକାରୀ ମାନଙ୍କୁ ଫଳ ରସ ପିଆଇ ଅନଶନ ଭଙ୍ଗ କରାଇଥିଲେ ।
