ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ପଦ୍ମପୁର/ଭୁବନେଶ୍ୱର : ଆମ ଦଳ ଚାଷୀ ଆନ୍ଦୋଳନ ଏବଂ ପଦ୍ମପୁରକୁ ଜିଲ୍ଲା ଗଠନ ଦାବିକୁ ପୂର୍ଣ୍ଣ ସମର୍ଥନ କରୁଛି ବୋଲି ସୋମବାର ପଦ୍ମପୁର ଉପନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ସମର୍ଥନରେ ପ୍ରଚାର କରିବା ସହ ଧାରଣାସ୍ଥଳକୁ ଯାଇ ଆନ୍ଦୋଳନରତ ‘କୃଷକ ସଂଗଠନ’ ଓ ‘ପ୍ରସ୍ତାବିତ ପଦ୍ମପୁର ଜିଲ୍ଲା କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି’କୁ ଭେଟିବା ପରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ ପଦ୍ମପୁର ନିର୍ବାଚନମଣ୍ଡଳୀରେ ଆୟୋଜିତ ଜନସଭା ଓ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଆମ ଦଳ ବିଜେପି ଏବଂ ପ୍ରାର୍ଥୀ ପ୍ରଦୀପ ପୁରୋହିତ ଚାଷୀ ମାନଙ୍କ ସହ ଅଛନ୍ତି । ୨୦୧୬ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ଲକରୁ ପଞ୍ଚାୟତ ଇନସ୍ୟୁରାନ୍ସ ୟୁନିଟ୍ କରିବାର ଐତିହାସିକ ନିଷ୍ପତି ଏହି ବରଗଡ଼ ମାଟିରୁ ନେଇଥିଲେ । କୃଷିର ବିକାଶ ପାଇଁ ବରଗଡ ଜିଲ୍ଲାରେ ଇଥାନଲ ପ୍ଲାଣ୍ଟ ସ୍ଥାପନା କରାଯାଇଛି । ଚାଷୀ ଭାଇ ଏବଂ ଜିଲ୍ଲାର ବିକାଶ ପାଇଁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ ।
ଅପରପକ୍ଷରେ ଦେଶ ସ୍ୱାଧୀନତାର ୭୫ ବର୍ଷ ଯାତ୍ରା ପୂରଣ କରିଥିବା ବେଳେ ଦୀର୍ଘ ୨୨ ବର୍ଷରୁ ଅଧିକ ଶାସନରେ ରହିବା ପରେ ମଧ୍ୟ ପଦ୍ମପୁରରେ ପାଣି, ଜଳସେଚନ, ଚାଷୀ ବୀମା, ଧାନ କିଣା ଓ ଦାଦନ ସମସ୍ୟାର ସମାଧାନ ନ ହେବା ଦୁର୍ଭାଗ୍ୟଜନକ । ରାଜ୍ୟ ସରକାରଙ୍କ ଅବ୍ୟବସ୍ଥା ଏବଂ ଦାୟିତ୍ୱରେ ବିଳମ୍ବ କାରଣରୁ ଆଜି ଚାଷୀ ମାନେ ଆନ୍ଦୋଳନରେ ବସିଛନ୍ତି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର କ୍ରିୟାନ୍ୱୟନ ରାଜ୍ୟ ସରକାରଙ୍କ ହାତରେ ନ୍ୟସ୍ତ ରହିଛି । ରାଜ୍ୟ ସରକାର ଏଥିପାଇଁ ଏଜେନ୍ସି ନିଯୁକ୍ତି କରନ୍ତି । ନ୍ୟାସନାଲ ଇନସ୍ୟୁରାନ୍ସ, ନ୍ୟୁ ଇଣ୍ଡିଆ ଇନସ୍ୟୁରାନ୍ସ, ଓରିଏନଟାଲ ଇନସ୍ୟୁରାନ୍ସ, ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଜେନେରାଲ ଇନସ୍ୟୁରାନ୍ସ, ୟୁନାଇଟେଡ୍ ଇଣ୍ଡିଆ ଇନସୁରାନ୍ସ, ଏଗ୍ରିକଲଚର ଇନସୁରାନ୍ସ କମ୍ପାନୀ ଅଫ୍ ଇଣ୍ଡିଆ ଲିମିଟେଡ୍ ଭଳି ୬ଟି କମ୍ପାନୀ ଥିଲା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ କାହିଁକି ଏଚଏଡିଏଫସି ଭଳି ପ୍ରାଇଭେଟ୍ କମ୍ପାନୀକୁ ନେଲେ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।
ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ଘୋଷଣା ଦାବୀରେ ଧାରଣାରେ ବସିଥିବା ‘ପ୍ରସ୍ତାବିତ ପଦ୍ମପୁର ଜିଲ୍ଲା କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି’ର ସଭାପତି ଓ ସଦସ୍ୟଙ୍କ ଦାବୀକୁ ଆମେ ପୂର୍ଣ୍ଣ ସମର୍ଥନ ଦେଉଛୁ । ପଦ୍ମପୁରକୁ ଗୋଟିଏ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ଦେବାର ଦାବୀକୁ ଆମ ଦଳର ପୂର୍ଣ୍ଣ ସମର୍ଥନ ରହିଛି ବୋଲି ସେ କହିଛନ୍ତି । ପ୍ରଚାର କରିବା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଥମେ ବରଗଡ଼ ଜିଲ୍ଲା ଘେଁସ ଠାରେ ଶହୀଦ ମାଧୋ ସିଂହଙ୍କର ଷଷ୍ଠ ଦାୟାଦ ସ୍ୱର୍ଗତ ତାରକେଶ୍ୱର ସିଂହ ବରିହାଙ୍କର ଧର୍ମପତ୍ନୀ ଘେଁସ ରାଜମାତା ସ୍ୱର୍ଗୀୟା ମମତା ସିଂହ ବରିହାଙ୍କ ବାସଭବନକୁ ଯାଇ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇବା ସହ କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରି କହିଥିଲେ ଯେ ମହାନ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ସହ ଶହୀଦ ମାଧୋ ସିଂହ ଓ ତାଙ୍କ ପରିବାର ଭାରତର ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରି ଶହୀଦ ହୋଇଥିଲେ । ଏହା ପରେ ଘେଁସ ଠାରେ ଦେଶର ବୀର ସ୍ୱାଧୀନତା ସଂଗ୍ରାମୀ ଶହୀଦ ମାଧୋ ସିଂହ, ହଟ୍ଟେ ସିଂହ, କୁଞ୍ଜଳ ସିଂହ, ବୈରୀ ସିଂହ ଓ ଐରୀ ସିଂହଙ୍କ ସ୍ମୃତିରେ ନିର୍ମିତ ‘ସ୍ମୃତିସ୍ତମ୍ଭ’ରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ କେନ୍ଦ୍ରମନ୍ତ୍ରୀ । ସେହି ସ୍ଥାନରେ ଜମିଦାର ଲାଲ ଯୋଗେନ୍ଦ୍ର ନାଥ ସିଂହ ବରିହାଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ଶ୍ରୀ ପ୍ରଧାନ ମାଲ୍ୟାର୍ପଣ କରିବା ସହ ପଦ୍ମପୁର ସ୍ଥିତ ମା’ ବନ ଦୁର୍ଗାଙ୍କ ମନ୍ଦିରରେ ମଧ୍ୟ ଦର୍ଶନ କରିବା ସହ ଆଶୀର୍ବାଦ ନେଇଥିଲେ ।
