ସଞ୍ଚୟ ପକ୍ଷ ପାଳନ ଉପଲକ୍ଷେ ଆର୍ଥିକ ସାକ୍ଷରତା ଶିବିର
ବାଲେଶ୍ୱର : ବାଲେଶ୍ୱର ସାନୀୟ ସଦ୍ଭାବନା ସଭାଗୃହରେ ସଞ୍ଚୟ ପକ୍ଷ ପାଳନ ଅବସରରେ ରାଜ୍ୟ ଅର୍ଥ ବିଭାଗ ନିର୍ଦ୍ଦେଶ କ୍ରମେ ଜିଲା ସ୍ୱଳ୍ପ ସଞ୍ଚୟ ବିଭାଗ ପକ୍ଷରୁ ସ୍ଥାନୀୟ ସଦ୍ଭାବନା ସଭାଗୃହରେ ଆର୍ଥିକ ସାକ୍ଷରତା ଶିବିର ଅନୁଷ୍ଠିତ ହୋଇଯାଇଛି ।
ଜିଲା ସ୍ୱଳ୍ପ ସଞ୍ଚୟ ଅଧିକାରିଣୀ ପ୍ରଜ୍ଞା ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ସ୍ୱଳ୍ପ ସଞ୍ଚୟର ଆବଶ୍ୟକତା ଓ ଉପାଦେୟତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀର ଲୋକମାନେ ନିଜର ଦୈନିକ ଆୟରୁ ଅଳ୍ପ ଅଳ୍ପ ସଞ୍ଚୟ କରି ନିଜର ଭବିଷ୍ୟତ ସୁରକ୍ଷିତ ରଖିବାକୁ ସେ ପରାମର୍ଶ ଦେଇଥିଲେ । ସାମ୍ପ୍ରତିକ ସ୍ଥିତିରେ ଚିଟ୍ଫଣ୍ଡ କମ୍ପାନୀମାନଙ୍କର ପ୍ରଲୋଭନ ଏବଂ ଡିଜିଟାଲ୍ ଠକାମୀର ଶିକାର ହୋଇ ଜମାକାରୀମାନେ ନିଜର ବହୁମୂଲ୍ୟ ସଞ୍ଚୟ ହରାଉ ଥିବାବେଳେ ଏଥିପ୍ରତି ସତର୍କ ରହିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ସହକାରୀ ଡାକ ଅଧୀକ୍ଷକ ଶିବପ୍ରସାଦ ବେହେରା ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବିଭିନ୍ନ କ୍ଷୁଦ୍ର ଜମା ସମ୍ପର୍କିତ ଯୋଜନା ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କର ବରିଷ୍ଠ ପରିଚାଳକ ବିରଞ୍ôଚ ନାରାୟଣ ସାମଲ, ଆର୍ଥିକ ସାକ୍ଷରଣ ପରାମର୍ଶଦାତା ଯଜେ୍ଞଶ୍ୱର ପ୍ରଧାନ ସମ୍ମାନୀତ ଅତିଥି ରୂପେ ଯୋଗଦେଇ ବିଭିନ୍ନ ଜୀବନ ବୀମା ଯୋଜନା, ଅଟଳ ପେନସନ ଯୋଜନା, ସାଇବର ଠକାମୀ ଓ କ୍ୟାସଲେସ କାରବାର ସମ୍ପର୍କରେ ଆଲୋକପାତ କରିଥିଲେ ।
କାର୍ଯ୍ୟକ୍ରମରେ ଅଙ୍ଗନୱାଡ଼ି କାର୍ଯ୍ୟକର୍ତ୍ତାଗଣ, ସୁପରଭାଇଜର, ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା, ସ୍ୱଳ୍ପ ସଞ୍ଚୟ ଅଭିକର୍ତ୍ତା ଗଣ ତଥା ରାଜ୍ୟସରକାରଙ୍କ ଦ୍ୱାରା ନିକଟରେ ନିୟମିତ ହୋଇଥିବା କର୍ମଚାରୀ ଗଣ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଉପଖଣ୍ଡ ସ୍ୱଳ୍ପ ସଞ୍ଚୟ ଅଧିକାରୀ ଶୁଭଶ୍ରୀ ମାନ୍ନା ତଥା ବରିଷ୍ଠ ରାଜସ୍ୱ ସହାୟିକା ସ୍ୱର୍ଣ୍ଣପ୍ରିୟା ଦାସ ପରିଚାଳନା କରିଥିଲେ ।
