କାର୍ତିକ ପୂର୍ଣ୍ଣିମାରେ ସାକ୍ଷୀଗୋପୀନାଥଙ୍କ ଲକ୍ଷ୍ମୀ ନାରାୟଣ ବେଶ
ସାକ୍ଷିଗୋପାଳ : ପବିତ୍ର କାର୍ତିକ ପୂର୍ଣ୍ଣମୀ ତିଥିରେ ଆଜି ଭକ୍ତଙ୍କୁ ଲକ୍ଷ୍ମୀ ନାରାୟଣ ବେଶ ବା ସୁନାବେଶରେ ଦର୍ଶନ ଦେଇଛନ୍ତି ସାକ୍ଷୀଗୋପୀନାଥ । କାର୍ତିକ ପୂର୍ଣ୍ଣମୀରେ ଚନ୍ଦ୍ରଗ୍ରହଣ ପଡୁଥିବାରୁ ଭୋର୍ ୫ଟା ୩୮ ପୂର୍ବରୁ ଡଙ୍ଗା ଭସା ଶେଷ କରିବା ସହ ଠାକୁର ଦର୍ଶନ କରିଥିଲେ ଶ୍ରଦ୍ଧାଳୁ । ଏହି ଅବସରରେ ସାକ୍ଷିଗୋପାଳ ମନ୍ଦିରରେ ବହୁ ସଂଖ୍ୟାରେ ଭକ୍ତ ସମାଗମ ହୋଇଛି । ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଛି । ଆଜି ଦିନତମାମ ମନ୍ଦିର ଖୋଲା ରହିଥିଲା । ଶ୍ରଦ୍ଧାଳୁ ମାନେ ଠାକୁର ଦର୍ଶନ କରିଥିଲେ, ହେଲେ ଗ୍ରହଣ ପାଇଁ ଦେବନୀତି ବନ୍ଦ ଥିବା ଯୋଗୁଁ ଭୋଗ ଲଗାଇବା ଓ ଦୀପ ଜାଳିବାରୁ ବଂଚିତ ରହିଥିଲେ । ତେବେ ସକାଳ ୬ଟା ପରେ ମନ୍ଦିରରେ ଭକ୍ତ ସମାଗମ ହ୍ରାସ ପାଇଛି ।
ପଚଂକର ଅନ୍ତିମ ଦିବସ କାର୍ତିକ ପୂର୍ଣ୍ଣମୀରେ ଶ୍ରଦ୍ଧାଳୁ ମାନେ ବୋଇତ ବନ୍ଦାଣ ଉତ୍ସବକୁ ମନେ ପକାଇ ଭୋରରୁ ବିଭିନ୍ନ ଗ୍ରାମ୍ୟ ପୁଷ୍କରିଣୀରେ ଡ଼ଙ୍ଗା ଭସାଇବା ସହ ମନ୍ଦିର ଦର୍ଶନରେ ଯାଇଥିଲେ । ଚନ୍ଦ୍ରଗ୍ରହଣକୁ ଦୃଷ୍ଟିରେ ରଖି ସାକ୍ଷିଗୋପୀନାଥଙ୍କ ଦୈନନ୍ଦିନ ନୀତିକାନ୍ତି ସଅଳ ସମ୍ପନ୍ନ ହୋଇଥିଲା । ମନ୍ଦିର ଦ୍ୱାରଫିଟା, ମଙ୍ଗଳ ଆଳତୀ, ବେଶ ମଇଲମ, ମର୍ଦ୍ଦନ, ଅବକାଶ, ବଲ୍ଲଭ, ସକାଳ ଧୂପ, ବାଳଧୂପ ଆଦି ନୀତି ଭୋର ସାଢ଼େ ୫ଟା ସୁଦ୍ଧା ସମ୍ପନ୍ନ ହୋଇଥିଲା । ସିଂହାରୀ ସେବକ ଠାକୁରଙ୍କୁ ଲକ୍ଷ୍ମୀନାରାୟଣ ବେଶ ବା ସୁନାବେଶରେ ସଜ୍ଜିତ କରିଥିଲେ । ସାକ୍ଷୀଗୋପାଳ ଓ ମା ରାଧାରାଣୀଙ୍କୁ ପାଟ ପୀତାମ୍ବରୀ ବସ୍ତ୍ର ସହ ସୁବର୍ଣ୍ଣ ବଂଶୀ, କିରଟୀ, କୁଣ୍ଡଳ, ହୀରା ମୁଦ୍ରିକା, ନୋଥ, ଗୁଣା, ଚନ୍ଦନପାଟ୍ଟି, ପାଉଁଜି, ଖଡ଼ୁ ସହ ଅନ୍ୟାନ୍ୟ ସୁବର୍ଣ୍ଣ ଅଳଙ୍କାର ଲାଗି କରାଯାଇଥିଲା । ଏହି ଅବସରରେ ନଗର କୀର୍ତନ, ଶ୍ରଦ୍ଧାଳୁଙ୍କ ହରିବୋଲ ଓ ହୁଳହୁଳିରେ ପ୍ରକମ୍ପିତ ହୋଇଉଠିଥିଲା ସମଗ୍ର ଅଂଚଳ । ଭୋର୍ ୫ଟା ୪୦ରେ ବେଶ ଓଲାଗି ହୋଇଥିଲା । ଗ୍ରହଣ ପାଇଁ ପରବର୍ତି ଦେବନୀତି ବନ୍ଦ ରହିଛି । ସଂନ୍ଧ୍ୟା ୬ଟା ୧୯ ରେ ଗ୍ରହଣ ଗ୍ରହଣ ସର୍ବମୋକ୍ଷ ପରେ ଠାକୁରଙ୍କ ମହାସ୍ନାନ ଅନୁଷ୍ଠିତ ହୋଇଛି ଏବଂ ପରବର୍ତି ଦେବନୀତି ଆରମ୍ଭ ହୋଇଛି । ଆଜି ଦିନତମାମ ମନ୍ଦିର ଖୋଲା ରହିଥିଲା । ଶ୍ରଦ୍ଧାଳୁ ମାନେ ଠାକୁର ଦର୍ଶନ କରିଥିଲେ, ହେଲେ ଗ୍ରହଣ ଯୋଗୁଁ ଭୋଗ ଲଗାଇବା ଓ ଦୀପ ଜାଳିବାରୁ ବଂଚିତ ରହିଥିଲେ ।
