ରେମୁଣା କୃଷକସାଥୀ ସଂଘ ଗଠନ; ହରିହର ସଭାପତି ଓ ମନୋଜ ସମ୍ପାଦକ
ରେମୁଣା : ବାଲେଶ୍ୱର ଜିଲା ରେମୁଣା ବ୍ଲକର ସମସ୍ତ କୃଷକସାଥୀଙ୍କୁ ନେଇ କ୍ଷୀରଚୋରା ମନ୍ଦିର ପ୍ରାଙ୍ଗଣରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ବିଜୟ କୁମାର ବେହେରାଙ୍କ ସଭାପତିତ୍ୱରେ ଏକ ସ୍ଥାୟୀ ରେମୁଣା କୃଷକସାଥୀ ସଂଘ ଗଠନ କରାଯାଇଛି । ଉକ୍ତ ସଂଘର ସ୍ଥାୟୀ ସଭାପତି ହରିହର ପରିଡ଼ା, କାର୍ଯ୍ୟବାହୀ ସଭାପତି କାର୍ତ୍ତିକ ଚନ୍ଦ୍ର ସାହୁ, ଉପ-ସଭାପତି ହରେକୃଷ୍ଣ ଗିରି, ସମ୍ପାଦକ ମନୋଜ କୁମାର ନାୟକ, ସହ-ସମ୍ପାଦକ ପ୍ରମିଳା ବେହେରା, କୋଷାଧ୍ୟକ୍ଷ ଉଦୟ କୁମାର ଦେଙ୍କୁ ମନୋନୀତ କରାଯାଇଥିବା ବେଳେ ଶକ୍ତିସ୍ୱରୂପ ପାତ୍ର, ବିରେନ୍ଦ ବିଶ୍ୱାଳ, ବିଜୟ କୁମାର ବେହେରା ସାଧାରଣ ସଭ୍ୟ ରୂପେ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଛି ।
ରେମୁଣା ବ୍ଲକର ୩୬ ଗୋଟି ପଞ୍ଚାୟତକୁ ୮ଟି ଜୋନ୍ରେ ଭାଗ କରାଯାଇଥିବା ବେଳେ ପ୍ରତ୍ୟେକ ଜୋନ୍କୁ ଜଣେ ଜଣେ କୃଷକସାଥୀଙ୍କୁ ଦାୟିତ୍ୱ ଦିଆଯାଇଛି । ସମସ୍ତ କୃଷକସାଥୀ ଯେମିତି ନିଜ ନିଜର ଗ୍ରାମ୍ୟ କୃଷି କର୍ମଚାରୀଙ୍କୁ ସମ୍ମାନ ଜଣାଇବା ସହ ସମସ୍ତ କୃଷି ଭିତ୍ତିକ କାର୍ଯ୍ୟରେ ସହଯୋଗ କରିବେ ବୋଲି ସଭାପତି ହରିହର ପରିଡ଼ା ପରାମର୍ଶ ଦେଇଥିଲେ । ଏଥିରେ ୩୬ଟି ପଞ୍ଚାୟତରୁ ୫୦ରୁ ଅଧିକ କୃଷକସାଥୀ ଉପସ୍ଥିତ ଥିବାବେଳେ ବାଲେଶ୍ୱର ଜିଲାର ସଦର ବ୍ଲକରୁ ପ୍ରଶାନ୍ତ ପରିଡ଼ା, ବାହାନଗା ବ୍ଲକରୁ ମୁକ୍ତିକାନ୍ତ ପାଣିଗ୍ରାହୀ ଏବଂ ବସ୍ତା ବ୍ଲକରୁ ସମୀର ପ୍ରଧାନ ଉପସ୍ଥିତ ରହି ସଂଘ ଗଠନର ମୁଖ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଶେଷରେ ବିଜୟ କୁମାର ବେହେରା ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସଭାକାର୍ଯ୍ୟକୁ ସମାପନ କରିଥିଲେ ।
