୬ଷ୍ଠ ବ୍ୟାଚ୍ ଡିଏସ୍ପି ପ୍ରୋବେସନର୍ଙ୍କ ଦୀକ୍ଷାନ୍ତ ସମାରୋହ
କଟକ : ଦେଶ, ସମାଜ ତଥା ସାଧାରଣଜନତାଙ୍କୁ ଉପଯୁକ୍ତ ସେବା ଓ ସୁରକ୍ଷା ପ୍ରଦାନ କରିବା ସମସ୍ତଙ୍କ ପ୍ରାଥମିକ କର୍ତବ୍ୟ ହେବା ଉଚିତ୍ । ସେଥିନିମନ୍ତେ ନିଜର କର୍ତବ୍ୟ ଏବଂ ଦାୟିତ୍ୱକୁ ସାଧୁତା ଓ ସଚ୍ଚୋଟତାର ସହ ପାଳନ କରିବାକୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂସଲ୍ ୧୩ଜଣ ଡିଏସ୍ପି ପ୍ରୋବେସନର୍ଙ୍କ ଉଦ୍ଦେଶ୍ୟରେ ବାର୍ତା ପ୍ରଦାନ କରିଛନ୍ତି । ବିଜୁ ପଟ୍ଟନାୟକ ଷ୍ଟେଟ୍ପୋଲିସ୍ ଏକାଡ଼େମୀଠାରେ ଆୟୋଜିତ ୬ଷ୍ଠ ବ୍ୟାଚ୍ ଡିଏସ୍ପି ପ୍ରୋବେସନର୍ଙ୍କ ଦୀକ୍ଷାନ୍ତ ସମାରୋହରେ ମୁଖ୍ୟ ଅତିଥି ଭାବେଯୋଗ ଦେଇ ଡିଜିପି ଶ୍ରୀ ବଂସଲ ସମସ୍ତଙ୍କୁ ସ୍ୱାଗତ ଏବଂ ଅଭିନନ୍ଦନ ଜଣାଇବା ସହ କହିଥିଲେ ଯେ, ଆଇନ୍ ଏବଂ ସାଧାରଣ ଜନତାଙ୍କ ସୁରକ୍ଷା ନିମନ୍ତେ ନବନିଯୁକ୍ତ ଡିଏସ୍ପିଙ୍କ ନିକଟରେ ଗୁରୁ ଦାୟିତ୍ୱ ଅର୍ପଣ କରାଯାଇଛି । ଏହି ଦାୟିତ୍ୱକୁ ସଠିକ୍ ଭାବେ ପାଳନ କରିବା ସହ ଆଗାମୀ ଦିନରେ ଓଡ଼ିଶା ପୋଲିସ୍ର ସୁନାମ ବଢାଇବାକୁ ଡିଜିପି ଶ୍ରୀ ବଂସଲ୍ ନବାଗତ ଡିଏସ୍ପିମାନଙ୍କ ଉଦ୍ଦେଶ୍ୟରେ ଆହ୍ୱାନ ଦେଇଥିଲେ । ଏହି ଅବସରରେ ପ୍ରୋବେସନର୍ ଡିଏସ୍ପିମାନଙ୍କ ଦ୍ୱାରା ଚିତାକର୍ଷକ ପ୍ୟାରେଡ୍ ପ୍ରଦର୍ଶନ କରାଯାଇଥିଲା ।ଟ୍ରେନିଂ ସମୟରେ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଥିବା ଡିଏସ୍ପି ପ୍ରୋବେସନର୍ ସଚିନ୍ ପଟେଲ୍, ସୁବ୍ରତ କୁମାର, ଉପାସନା ପାଢୀ, ମୀନାକ୍ଷୀ ଠାକୁର ଏବଂ ରଶ୍ମିରଞ୍ଜନ ସେନାପତିଙ୍କୁ ଡିଜିପି ସମ୍ବର୍ଦ୍ଧିିତ କରିଥିଲେ । ଏହାସହ ୧୨ଜଣଙ୍କୁ କେନ୍ଦ୍ରଗୃହମନ୍ତ୍ରୀଙ୍କ ଟ୍ରଫି ଡିଜିପି ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଜୁ ପଟ୍ଟନାୟକ ଷ୍ଟେଟ୍ ପୋଲିସ୍ ଏକାଡ଼େମୀର ନିର୍ଦ୍ଦେଶକ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀ, ଆଇଜି ସାଇନି ଏସ୍ଙ୍କ ସମେତ ପୋଲିସ୍ ବିଭାଗର ବହୁ ବରିଷ୍ଠ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
