ମୟୁରଭଞ୍ଜର ଐତିହ୍ୟ ଏବଂ ପର୍ଯ୍ୟଟନର ବିକାଶ ପାଇଁ ଅଭିନବ ପ୍ରୟାସ ମୟୁରଭଞ୍ଜ ହେରିଟେଜ ୱାକ୍ସରେ ବିଛିନାଞ୍ଚଳ ସାମିଲ
ବାରିପଦା : ମୟୁରଭଞ୍ଜ ଜିଲ୍ଲାର ପର୍ଯ୍ୟଟନ, ଇତିହାସ, ଐତିହ୍ୟ, କଳା ଓ ସଂସ୍କୃତିର ପ୍ରଚାର ପ୍ରସାର ନିମନ୍ତେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରୁଥିବା ମୟୂରଭଂଜ ଲଭର୍ସ ଓ ମୟୂରଭଂଜ ମିରର ସଙ୍ଗଠନ ଦ୍ୱାରା ଯୁବ ପିଢିଙ୍କ ନିକଟରେ ଇତିହାସ ଓ ଐତିହ୍ୟର ପ୍ରଚାର ପ୍ରସାର ନିମନ୍ତେ ଆୟୋଜିତ ହୋଇଆସୁଥିବା ମୟୂରଭଂଜ ହେରିଟେଜ ୱାକ୍ସର ଦଶମ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି । ଏହି ଦଶମ ସଂସ୍କରଣରେ ହେରିଟେଜ ୱାକ୍ସର ଅଭିଯାତ୍ରୀ ଦଳରେ ସାମିଲ ହୋଇଥିବା ୫୦ ରୁ ଉର୍ଦ୍ଧ୍ୱ ବୟୋଜ୍ୟେଷ୍ଠ, ଯୁବବର୍ଗ ଓ ଛାତ୍ରଛାତ୍ରୀ ସର୍ବପ୍ରଥମେ ମୟୂରଭଂଜର ପ୍ରଥମ ରାଜଧାନୀ ତଥା ଅଧିଷ୍ଠାତ୍ରୀ ଦେବୀ ମା କୀଚକେଶ୍ୱରୀଙ୍କ ପୀଠ ଖିଚିଂକୁ ଯାଇଥିଲେ । ମୟୂରଭଂଜ ଲଭର୍ସର ସଦସ୍ୟ କୁମାରେଶ ନାୟକ ପ୍ରଥମେ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଖିଚିଂର ଇତିହାସ ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଅନ୍ୟତମ ସଦସ୍ୟ ରୁଷିରାଜ ପଟ୍ଟନାୟକ ମନ୍ଦିରର ନିର୍ମାଣ ଶୈଳୀ, ମୁର୍ତିକଳା ଓ ଅନ୍ୟାନ୍ୟ ବିଭବ ସମ୍ପର୍କରେ ଆଲୋଚନା କରିଥିଲେ । ଏଠାରେ ଥିବା ପ୍ରସିଦ୍ଧ ମ୍ୟୁଜିୟମରେ ସଂରକ୍ଷିତ ଥିବା ବିଭିନ୍ନ ପୁରାତନ ମୁର୍ତୀ, ମୁଦ୍ରା ଆଦି ସମ୍ପର୍କରେ ମଧ୍ୟ ସବିଶେଷ ବିବରଣୀ ପ୍ରଦାନ କରାଯାଇଥିଲା । ଏହା ପରେ ଅଭିଯାତ୍ରୀ ଦଳ ପୂର୍ବରୁ ମୟୂରଭଂଜର ଅଂଶ ଥିବା ବର୍ତମାନର ବିଛିନାଞ୍ଚଳ ଝାରଖଣ୍ଡର ବେଣୀ ସାଗର ଠାରେ ପହଂଚିଥିଲେ । ଏଠାରେ ରହିଥିବା ପୁରାତନ ଗଡର ଭଗ୍ନାବଶେଷ ଇତିହାସର ଅନେକ ଅକୁହା କଥାକୁ ନିଜ ଭିତରେ ସାଇତିରଖିଥିବାର ମତପ୍ରକାଶ ପାଇଥିଲା । ସର୍ବଶେଷରେ ୮୦୦ ବର୍ଷରୁ ଅଧିକ ପୁରୁଣା ଯଶିପୁରର ରଘୁନାଥ ଜୀଉ ମଠ, ପର୍ଯ୍ୟଟନର ଅନନ୍ୟ ଆକର୍ଷଣ ଭଦୁଶୋଳ ଜଳପ୍ରପାତ ତଥା ରାମଚନ୍ଦ୍ରଙ୍କ ସ୍ମୃତି ବିଜଡିତ ରାମତୀର୍ଥକୁ ଅଭିଯାତ୍ରୀ ଦଳ ବୁଲିଯିବା ସହ ଏ ସମ୍ପର୍କରେ ସବିଶେଷ ତଥ୍ୟ ହାସଲ କରିଥିଲେ ।କାର୍ଯ୍ୟକ୍ରମ ଶେଷରେ ଆୟୋଜିତ ଆଲୋଚନା ଚକ୍ରରେ ଯୁବପିଢିଙ୍କୁ ମୟୂରଭଂଜ ମାଟିର ଇତିହାସ ଓ ଐତିହ୍ୟ ପ୍ରତି କିଭଳି ଆକୃଷ୍ଟ କରାଯାଇପାରିବ ସେ ସମ୍ପର୍କରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଦସ୍ୟ ଜ୍ୟୋତିପ୍ରକାଶ ନାଏକ, ଜୟ ପ୍ରକାଶ ସିଂହ, ସ୍ୱପନ କୁମାର ମହାନ୍ତ, ସୁଶ୍ରୀ ନାୟକ, ଦେବଜିତ୍ ପଟ୍ଟନାୟକ, ଆଭାସ ଦେ, ଶୁଭସ୍ମିତା ସାହୁ, ହରପ୍ରିୟା ନାୟକ, ଭବାନୀ ପାତ୍ର, କ୍ରିଷ୍ଣାଚନ୍ଦ୍ର ମୁଖୀ, ଅପର୍ଣ୍ଣା ସିଂହ, ପଙ୍କଜ ସାହା, ଜ୍ୟୋତିଶ୍ରୀ ସିଂହ, ସ୍ୱାତୀ ସାହା, ତ୍ରିଷାରାଣୀ ପୃଷ୍ଟି, ଲିଲିମା ସାହୁ, ଅର୍ପିତା ବେହେରା, ଶ୍ରାବଣୀ ପ୍ରଧାନ, ପାରାୟଣୀ ସୋରେନ, ରାନି ଟୁଡୁ, ଉର୍ମୀ ବିଶ୍ୱାଳ, ପ୍ରୀତି ମିସ୍ତ୍ରୀ, ଚନ୍ଦ୍ରିକା ନାୟକ, ମାମିନା ବେହେରା ପ୍ରମୁଖ ପରିଚାଳନା କରିଥିଲେ ।
