‘ଏମଆର ଗୁରୁକୁଳ କ୍ଲାସେସ’ର ବାର୍ଷିକ ଉତ୍ସବ
ବାଲେଶ୍ୱର : ବାଲେଶ୍ୱରର ଅନ୍ୟତମ କୋଚିଂ ସେଣ୍ଟର ‘ଏମଆର ଗୁରୁକୁଳ କ୍ଲାସେସ’ର ବାର୍ଷିକ ଉତ୍ସବ ସ୍ଥାନୀୟ ଗାନ୍ଧୀସ୍ମୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଦର ବିଧାୟକ ସ୍ୱରୂପ କୁମାର ଦାସ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦଘାଟନ କରିବା ସହିତ ସଫଳତାର ବିଭିନ୍ନ ଦିଗ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନରେ ପିତାମାତାଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଗୁରୁ ଦାୟିତ୍ୱ ଅଛି ବୋଲି ସେ କହିଥିଲେ । ଏ କ୍ଷେତ୍ରରେ ଗୁରୁକୁଳ କ୍ଲାସେସ ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇଛି ବୋଲି ବିଧାୟକ ଶ୍ରୀ ଦାସ ମତ ପ୍ରକାଶ କରିଥିଲେ ।
କବି ପ୍ରଶାନ୍ତ ଦାସ ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶିକ୍ଷା, ଶିକ୍ଷକ ଓ ଶିକ୍ଷାର୍ଥୀଙ୍କ ମଧ୍ୟରେ ଥିବା ମହାନ ସମ୍ପର୍କ ଉପରେ ଆଲୋକପାତ କରିଥିଲେ । ଶିକ୍ଷକ କେବଳ ଶିକ୍ଷାଦାନ କରିଥିବା ବେଳେ ଜଣେ ଗୁରୁ ଶିକ୍ଷା ସହ ଜ୍ଞାନ ପ୍ରଦାନ କରିଥାଏ । ଛାତ୍ରଟିଏ ପ୍ରକୃତ ଶିକ୍ଷା ଗ୍ରହଣ କରିବାରେ ହିଁ ତା’ର ଜ୍ଞାନ ଉଦୟ ହୋଇଥାଏ ବୋଲି ଶ୍ରୀ ଦାସ କହିଥିଲେ । ଚାଟାର୍ଡ଼ ଆକାଉଂଟାଂଟ ବିଶ୍ୱରଂଜନ ପଣ୍ଡା ଓ ବାଲେଶ୍ୱର ପୂର୍ବତନ ପୌର ଉପାଧ୍ୟକ୍ଷ ମନୋଜ ରାଉତ ଏ୍ଥିରେ ସମ୍ମାନିତ ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନୁଷ୍ଠାନର ମୁଖ୍ୟ ସୁଶାନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଛାତ୍ରୀ ଶର୍ବାଣୀ ଶ୍ରୀୟାଂଶୁ ଭୋଇ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ଶ୍ରେଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧନା ଓ ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ସଭା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
