ନାହିଁ ନାହିଁରେ ଚାଲିଛି ଦୋବାଟି ପ୍ରାଥମିକ ବିଦ୍ୟାଳୟ, ଧାରଣା ଦେଲେ ଗ୍ରାମବାସୀ
ନୀଳଗିରି : ନାନା ଅସୁବିଧା ଏବଂ ଅବ୍ୟବସ୍ଥା ମଧ୍ୟରେ ଚାଲିଛି ପ୍ରାଥମିକ ବିଦ୍ୟାଳୟ । ୫ଟି ଶ୍ରେଣୀକୁ ୨ଜଣ ଶିକ୍ଷକରେ ଚାଲିଛି ବିଦ୍ୟାଳୟ । ଦୀର୍ଘ ଦିନର ଅପେକ୍ଷା ପରେ ମଧ୍ୟ କୌଣସି ସୁଧାର ନ ଆସିବାରୁ ଶେଷରେ ବାଧ୍ୟ ହୋଇ ସ୍କୁଲରେ ତାଲା ପକାଇ ଧାରଣାରେ ବସିଛନ୍ତି ଅଭିଭାବକ ଓ ଗ୍ରାମବସୀ ।
ସୂଚନା ଯେ, ନୀଳଗିରି ବ୍ଲକ ଅଧୀନ ବେଗୁନିଆ ପଞ୍ଚାୟତ ଦୋବାଟି ପ୍ରଥମିକ ବିଦ୍ୟାଳୟରେ ୫ଟି ଶ୍ରେଣୀକୁ ୨ଟି ଶ୍ରେଣୀଗୃହ ଥିବା ବେଳେ ୩ଜଣ ଶିକ୍ଷକରେ ସ୍କୁଲ ଚାଲିଥିଲା । ବିଡ଼ମ୍ବନା କିଛି ଦିନ ପୂର୍ବରୁ ବ୍ଲକ ଶିକ୍ଷାଧିକାରୀ ଜଣେ ଶିକ୍ଷକଙ୍କୁ ଅପସାରଣ କରିନେବା ଫଳରେ ୨ଜଣ ଶିକ୍ଷକରେ ସ୍କୁଲ ଚାଲିଛି । କିନ୍ତୁ ବିଦ୍ୟାଳୟରେ ସ୍କୁଲ ହେବା ଦିନ ଠାରୁ ଏ ପର୍ଯ୍ୟନ୍ତ ୫ଟି ଶ୍ରେଣୀକୁ ୨ଟି ଶ୍ରେଣୀଗୃହ ଥିବା ବେଳେ ପିଲାମାନଙ୍କୁ ପାଠ ପଢ଼ାଇବାରେ ଘୋର ଅସୁବିଧା ହେଉଛି । ତତ୍ସହିତ ପାନୀୟ ଜଳର କୌଣସି ସୁବିଧା ନ ଥିବା ବେଳେ ପାନୀୟ ଜଳ ପାଇଁ ବାହାରକୁ ଯିବାକୁ ପଡୁଛି । ପାଇଖାନା ବ୍ୟବହାର ଉପଯୋଗୀ ନ ଥିବା ବେଳେ ଝାଡ଼ାଯିବାକୁ ପିଲାଙ୍କୁ ବାହାରକୁ ଯିବାକୁ ପଡୁଛି । ଫଳରେ ଅଘଟଣ ଘଟିବାର ସମସ୍ୟାକୁ ଏଡ଼ାଇ ଦିଆଯାଇ ନ ପାରେ । ଏ ବିଷୟରେ ନୀଳଗିରି ବ୍ଲକ ଶିକ୍ଷାଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା ବରଂ ଓଲଟା ତାଛଲ୍ୟ ଶୁଣିବାକୁ ମିଳିଥିଲା । ବାରମ୍ବାର ଅଭିଯୋଗ ପରେ ଶେଷରେ ବାଧ୍ୟ ହୋଇ ଦୋବାଟି ବିଦ୍ୟାଳୟର ଅଭିଭାବକ ଓ ଗ୍ରାମବାସୀ ମିଳିତ ହୋଇ ବିଦ୍ୟାଳୟ ଫାଟକ ବନ୍ଦ କରିବା ସହ ଧାରଣାରେ ବସିଥିଲେ । ଖବର ପାଇ ନୀଳଗିରି ବିଡି ରାହୁଲ ମଣ୍ଡଳ ଘଟଣାସ୍ଥଳରେ ପହଞ୍ôଚ ସମସ୍ୟା ସମ୍ପର୍କରେ ଅବଗତ ହେବା ପରେ ଖୁବଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।
