ଖପ୍ରାଖୋଲରେ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଉଦ୍ଯାପିତ
ପାଟଣାଗଡ଼ : ବଲାଙ୍ଗିର ଜିଲା ଖପ୍ରାଖୋଲ ବ୍ଲକ୍ ସ୍ତରୀୟ ପ୍ରାଥମିକ ବିଦ୍ୟାଳୟ ପରିସରରେ ବ୍ଲକ୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରେ ଆୟୋଜିତ ଉଦ୍ଯାପନୀ ଉତ୍ସବରେ ବ୍ଲକ୍ ଶିକ୍ଷା ଅଧିକାରୀ ସୁରେନ୍ଦ୍ର କୁମାର ପୁରୋହିତ ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥି ରୂପେ ବ୍ଲକ୍ ଅଧ୍ୟକ୍ଷା ନିରୁପମା ପଟେଲ, ସମ୍ମାନିତ ଅତିଥି ରୂପେ ସହ ଶିକ୍ଷା ଅଧିକାରୀ ମିନକେତନ ବରିହା ଯୋଗଦେଇ ଶିଶୁର ଅନ୍ତର୍ନିହିତ ଗୁଣର ପରିପ୍ରକାଶ ପାଇଁ ସୁରଭି ହେଉଛି ଏକ ମାଧ୍ୟମ ବୋଲି କହିଥିଲେ।
ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିକ୍ଷକ ସୁଶୀଲ କୁମାର ପୋଢ଼ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗରେ ୨୮୦ ଜଣ ଛାତ୍ରୀ ଛାତ୍ର ବକୃତା, ସୃଜନଶୀଳ ଲିଖନ, ପ୍ରବନ୍ଧ, ହସ୍ତାକ୍ଷର, ବିତର୍କ, ନୃତ୍ୟ, ସଂଗୀତ, କୁଇଜ୍ ଆଦି ପ୍ରତିଯୋଗିତାରେ ଭାଗନେଇଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ବିଭାଗରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଭାଗନେବେ ବୋଲି ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରକାଶ କରିଥିଲେ।
ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ କ୍ଲଷ୍ଟରର ସିଆରସିସି ମାନେ ପୁରସ୍କାର ବିତରଣ କରିଥିଲେ। ଶିକ୍ଷକ କୁଞ୍ଜବିହାରୀ ସରାଫ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ବିଇଓ ଅଫିସ ସମସ୍ତ କର୍ମଚାରୀ ଓ ବିଭିନ୍ନ କ୍ଲଷ୍ଟରର ସିଆରସିସି ମାନେ ଏବଂ ୟୁପି ସ୍କୁଲର ସମସ୍ତ ଶିକ୍ଷକ ଓ ଅନ୍ୟ ଶିକ୍ଷକ ମାନେ ପରିଚାଳନାରେ ସହଯୋଗ କରିଥିଲେ।
