ବିଜେପି କର୍ମୀଙ୍କୁ ଉଦ୍ଦେଶ୍ୟମୂଳକ ହାରାସମେଣ୍ଟ କରୁଛି ପୁଲିସ: ଡ. ଲେଖାଶ୍ରୀ
ଭୁବନେଶ୍ୱର : ଭଦ୍ରକ ଜିଲା ଧାମନଗର ଉପନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଶାସକ ବିଜେଡି ବାରମ୍ବାର ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରି ଆସୁଛି। ଶାସକ ଦଳ ବାରମ୍ବାର ଆଚରଣ ବିଧି ଉଲଘଂନ କରୁଥିବାବେଳେ ସ୍ଥାନୀୟ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଓ ବିଧାନସଭା ନିର୍ବାଚନ ଅଧିକାରୀ ଏଥିନେଇ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବାବେଳେ ଭାରତୀୟ ଜନତା ପାର୍ଟିର ୯୩୨ରୁ ଊର୍ଦ୍ଧ୍ୱ କାର୍ଯ୍ୟକର୍ତ୍ତାଙ୍କୁ ମିଥ୍ୟା ନୋଟିସ୍ ଦେଇ ହାରାସମେଣ୍ଟ କରୁଛି ପୁଲିସ ପ୍ରଶାସନ। ଉପନିର୍ବାଚନ ଜିତିବା ପାଇଁ ସରକାରୀ କଳକୁ ଖୋଦ୍ ଶାସକ ଦଳର ମନ୍ତ୍ରୀ, ବିଧାୟକ, ନେତାମାନେ ଅପବ୍ୟବହାର କରୁଛନ୍ତି। ଅନ୍ୟପକ୍ଷରେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ମିଥ୍ୟା ମାମଲା, ମିଥ୍ୟା ନୋଟିସ୍ ଦେଇ ଭୟଭୀତ କରାଉଛି ପୁଲିସ।
ସେହିଭଳି ଉଦ୍ଦେଶ୍ୟମୂଳକ ଭାବେ ହାରାସମେଣ୍ଟ କରି ଦଳୀୟ ପ୍ରଚାରରେ ବାଧା ସୃଷ୍ଟି କରିବା ଷଡଯନ୍ତ୍ରର ରଚନା କରିଛନ୍ତି ପ୍ରଶାସନିକ ଅଧିକାରୀମାନେ। ଏନେଇ ଆଜି ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏ ପ୍ରସଙ୍ଗରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଶାସକ ବିଜୁ ଜନତା ଦଳ କଳେ ବଳେ କୌଶଳେ ନିର୍ବାଚନ ବୈତରଣୀ ପାର ହେବା ପାଇଁ ସବୁ ପ୍ରକାର ଅନୈତିକ, ଅଗଣତାନ୍ତ୍ରିକ, ଅସାମ୍ବିଧାନିକ ବାଟକୁ ହାତେଇବାକୁ ପଛାଉନାହିଁ। ଅନେକ ସାଧାରଣ ନୀରିହ ଶହ ଶହ ନାଗରିକମାନଙ୍କୁ ପୁଲିସ ୧୦୭, ୧୧୦ର ମିଥ୍ୟା ନୋଟିସ୍ ଦେଇଥିବାର ଅଭିଯୋଗ ନେଇ ଆମ କାର୍ଯ୍ୟାଳୟକୁ ଆସୁଛନ୍ତି। ସେମାନଙ୍କୁ ଧମକ ଚମକ ଦେଇ ଡରେଇବା ଆରମ୍ଭ କରିଦେଇଛି ସ୍ଥାନୀୟ ପୁଲିସ। ସେହିପରି ୯୩୨ ଜଣ ଭାରତୀୟ ଜନତା ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ନାମକୁ ଖୋଜି ଖୋଜି ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପୁଲିସ ପ୍ରଶାସନ ସେମାନଙ୍କୁ ୧୦୭, ୧୧୦ର ନୋଟିସ୍ ଦେଇଛନ୍ତି।
ସବୁଠୁ ଆଶ୍ଚର୍ଯ୍ୟ କଥା ଭଦ୍ରକ ଜିଲ୍ଲା ପୁଲିସ ଶାସକ ଦଳର କଥାରେ ପରିଚାଳିତ ହେବା ସହ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାଙ୍କୁ ମେଣ୍ଟାଲି ହାରାସମେଣ୍ଟ, ଧାମନଗର ନିର୍ବାଚନ ମଣ୍ଡଳୀରୁ ପ୍ରଚାର କରିବାରୁ ବଞ୍ଚିତ କରିବାର ସମସ୍ତ ପରିକଳ୍ପିତ ଯୋଜନା କରୁଛି, ଯାହା ଅନୈତିକ ଓ ଅସାମ୍ବିଧାନିକ ବୋଲି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି। ଯେଉଁଠି ସ୍ଥାନୀୟ ତହସିଲଦାର (ଏକ୍ଜିକ୍ୟୁଟିଭ ମାଜିଷ୍ଟେଟ୍) ପିସ୍ ବଣ୍ଡ୍ ଦେଲେ ଚଳିବ ସେଠି ପୁଲିସ ଏସଡିଜେଏମ୍ କୋର୍ଟରେ ଅଣ୍ଡର ଟେକିଂ ଦେବା ପାଇଁ ବାଧ୍ୟ କରୁଛି। ପ୍ରଥମତଃ ମିଥ୍ୟା କେସ୍ ନୋଟିସ୍ ଦେଇ ଭୟଭୀତ କରାଯାଉଛି। ତା’ପରେ ଭଦ୍ରକ ଦୌଡେଇ ସମୟ ନଷ୍ଟ କରିବା ସହ ବିଜେପି କାର୍ଯ୍ୟକର୍ତ୍ତା କିପରି ପ୍ରଚାର କାର୍ଯ୍ୟରୁ ନିବୃତ ରହିବେ ତାହାର ଷଡ଼ଯନ୍ତ୍ର ରଚନା କରିଛି ପୁଲିସ। ଆତ୍ମବିଶ୍ୱାସ ହରାଇ ଥିବା ବିଜୁ ଜନତା ଦଳ ହାରିବା ଭୟରେ ଔଷଧ ବିକଳରେ ତାଟିଆ କାମୁଡୁଛି ବୋଲି ଡ. ଲେଖାଶ୍ରୀ କହିଛନ୍ତି।
ଭଦ୍ରକ ପୁଲିସ ବିଜେପିର କାର୍ଯ୍ୟକର୍ତ୍ତାଙ୍କୁ ଟାର୍ଗେଟ କରିଥିବାରୁ ଭାରତୀୟ ଜନତା ପାର୍ଟି ଏହାକୁ ଘୋର ନିନ୍ଦା କରିବା ସହ ଏହା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସିଇଓଙ୍କୁ ଭେଟି ବିଜେପି ଦାବି କରିଛି। ଭଦ୍ରକ ଜିଲ୍ଲା ପ୍ରଶାସନ ଓ ପୁଲିସ ଯେଉଁ କାର୍ଯ୍ୟ କରୁଛନ୍ତି ତାହା ଭାରତୀୟ ସମ୍ବିଧାନ ପ୍ରତି କୁଠାରଘାତ ଭଳି। ଭଦ୍ରକ ଜିଲ୍ଲା ପ୍ରଶାସନ ବିଜୁ ଜନତା ଦଳର ଚାମଚାଗିରି ଛାଡି ଜନହିତରେ କାର୍ଯ୍ୟକରନ୍ତୁ। ଆଇନକୁ ନିଜ ବାଟରେ ନନେଇ ଆଇନକୁ ତା’ବାଟରେ ପରିଚାଳିତ କରନ୍ତୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ବୋଲି ଡ. ଲେଖାଶ୍ରୀ କହିଛନ୍ତି। ଏହି ପ୍ରତିନିଧି ମଣ୍ଡଳୀରେ ରାଜ୍ୟ ଉପସଭାନେତ୍ରୀ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ, ଗଣମାଧ୍ୟମ ମୁଖ୍ୟ ଦିଲ୍ଲୀପ ମଲ୍ଲିକ, ଲିଗାଲ ସେଲ ରାଜ୍ୟ ସଂଯୋଜକ ଜୟନ୍ତ ଜେନା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଜ୍ଜନ ଶର୍ମା, ମହିଳା ମୋର୍ଚ୍ଚା ଉପସଭାନେତ୍ରୀ କସ୍ତୁରୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
