ଆଇସିସି ଟି-୨୦ ମାନ୍ୟତା : ଟପ୍ ୧୦କୁ ଫେରିଲେ ବିରାଟ, ୩କୁ ଖସିଲେ ସୂର୍ଯ୍ୟକୁମାର
ଦୁବାଇ : ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ବୁଧବାର ସଦ୍ୟତମ ଅନ୍ତର୍ଜାତୀୟ ଟି-୨୦ ମାନ୍ୟତା ଜାରି କରିଛି। ମାନ୍ୟତାରେ ଭାରତର ତାରକା ବ୍ୟାଟସମ୍ୟାନ ବିରାଟ କୋହଲିଙ୍କୁ ଖୁବ୍ ଫାଇଦା ମିଳିଛି। ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିବା ବିରାଟ କୋହଲି ଆଇସିସି ଟି-୨୦ ରାଙ୍କିଙ୍ଗର ଟପ୍ ୧୦କୁ ଫେରିଛନ୍ତି। ସେ ଏବେ ଦୀର୍ଘଦିନ ପରେ ବ୍ୟାଟିଂ ରାଙ୍କିଙ୍ଗର ଟପ୍ ୧୦ରେ ପ୍ରବେଶ କରିଛନ୍ତି।
ରବିବାର ମେଲବର୍ଣ୍ଣରେ ଖେଳାଯାଇଥିବା ପାକିସ୍ତାନ ବିପକ୍ଷ ପ୍ରଥମ ସୁପର ୧୨ ମୁକାବିଲାରେ ବିରାଟ ୫୩ ବଲରେ ଅପରାଜିତ ୮୨ ରନର ଇନିଂସ ଖେଳିଥିଲେ। ଆଇସିସି ପକ୍ଷରୁ ଜାରି ବ୍ୟାଟିଂ ରାଙ୍କିଙ୍ଗର ୬ଟି ସ୍ଥାନ ଉପରକୁ ଉଠି ବିରାଟ ସିଧା ୯ ନଂସ୍ଥାନରେ ପହଞ୍ଚି ଯାଇଛନ୍ତି। ଏହି ଚମତ୍କାର ଇନିଂସ ବଳରେ ପାକିସ୍ତାନ ପଞ୍ଝାରୁ ଟିମ ଇଣ୍ଡିଆ ମ୍ୟାଚ ମଧ୍ୟ ଛଡ଼ାଇ ଆଣିଥିଲା। ଏହାର ଫାଇଦା ବିରାଟଙ୍କୁ ରାଙ୍କିଙ୍ଗରେ ମଧ୍ୟ ମିଳିଛି। ବିରାଟ କୋହଲି ୨୦୨୧ ନଭେମ୍ବର ମାସରେ ଟପ୍ ୧୦ରୁ ବାଦ ପଡ଼ିଥିଲେ। ୨୦୨୧ ବିଶ୍ୱକପରେ ଖରାପ ପ୍ରଦର୍ଶନ ପାଇଁ ତାଙ୍କୁ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡ଼ିଥିଲେ। ଅବଶ୍ୟ ଚଳିତ ବର୍ଷ ଫେବୃଆରୀରେ ସେ ପୁଣି ଟପ୍ ୧୦କୁ ଫେରିଥିଲେ। ହେଲେ ପରବର୍ତ୍ତୀ ଅବସ୍ଥାରେ ସେ ତଳକୁ ଖସି ଯାଇଥିଲେ।
Virat Kohli on the rise 👊
— ICC (@ICC) October 26, 2022
The Indian star's sensational innings against Pakistan sees him surge up in the latest @MRFWorldwide ICC Men's T20I Player Rankings 📈
Details ⬇https://t.co/Up2Id40ri0
ବ୍ୟାଟିଂ ମାନ୍ୟତାରେ ୮୪୯ ପଏଣ୍ଟ ସହ ପାକିସ୍ତାନର ମହମ୍ମଦ ରିଜଓ୍ଵାନ ପୂର୍ବବତ୍ତ ଶୀର୍ଷ ସ୍ଥାନରେ ରହିଛନ୍ତି। ତେବେ ଭାରତର ଷ୍ଟାର ବ୍ୟାଟର ସୂର୍ଯ୍ୟ କୁମାର ଯାଦବ ରାଙ୍କିଙ୍ଗରେ ଗୋଟିଏ ସ୍ଥାନ ତଳକୁ ଖସିଛନ୍ତି। ବିଶ୍ୱକପ ପୂର୍ବରୁ ୨ନଂ ସ୍ଥାନରେ ଥିବା ସୂର୍ଯ୍ୟ କୁମାର ଏବେ ୮୨୮ ପଏଣ୍ଟ ସହ ତୃତୀୟ ସ୍ଥାନକୁ ଖସି ଯାଇଛନ୍ତି। ୨ନଂ ସ୍ଥାନକୁ ନ୍ୟୁଜିଲ୍ୟାଣ୍ଡର ଡେଭୋନ କନୱେ ଉଠିଛନ୍ତି। ତାଙ୍କ ପଏଣ୍ଟ ସଂଖ୍ୟା ୮୩୧ ରହିଛି। କନଓ୍ଵେ ଅଷ୍ଟ୍ରେଲିଆ ବିପକ୍ଷ ମୁକାବିଲାରେ ଅପରାଜିତ ୯୨ ରନର ଇଂନିସ ଖେଳିଥିଲେ। ୪ର୍ଥ ସ୍ଥାନକୁ ଖସିଛନ୍ତି ପାକିସ୍ତାନ ଅଧିନାୟକ ବାବର ଆଜମ। ୫ମ ସ୍ଥାନରେ ଦକ୍ଷିଣ ଆଫ୍ରିକାର ଆଡନ ମାର୍କମ, ୬ଷ୍ଠରେ ଇଂଲଣ୍ଡର ଡେଭିଡ୍ ମଲାନ, ୭ମରେ ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ, ୮ମରେ ଶ୍ରୀଲଙ୍କାର ପଥୁମ ନିଶାଙ୍କା, ୯ମରେ ବିରାଟ କୋହଲି ଓ ୧୦ମରେ ୟୁଏଇର ମହମ୍ମଦ ୱାସିମ ରହିଛନ୍ତି। ସେହିପରି ଭାରତର ଅଧିନାୟକ ରୋହିତ ଶର୍ମା ୧୬ତମ ମାନ୍ୟତାରେ ଥିବା ବେଳେ କେଏଲ ରାହୁଲ ୧୮ତମ ସ୍ଥାନରେ ରହିଛନ୍ତି।
