ପେନସନ ଅପେକ୍ଷାରେ କର୍କଟ ପୀଡିତ ସୁକାନ୍ତ
କଟକ : କଟକ ମହାନଗର ନିଗମରେ ଇଲେକ୍ଟ୍ରିସିଆନ ଭାବେ କାର୍ଯ୍ୟ କରି ଗତ ୨୦୧୫ରୁ ଅବସର ଗ୍ରହଣ କରିଥିବା ସୁକାନ୍ତ ରାଉତରାୟ ନିଜର ଫାଇନାଲ ପେନସନ ଲାଗି ବାରମ୍ବାର କଟକ ଦୌଡି ଶେଷରେ ନିରାଶ ହୋଇ ମେୟରଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସୂଚନାଯୋଗ୍ୟ ଯେ କଟକ ଜିଲ୍ଳାର ସାଶୋଳର ସୁକାନ୍ତ ରାଉତରାୟ କଟକ ମହାନଗର ନିଗମରେ ଜଣେ ଇଲେକ୍ଟ୍ରିସିଆନ ଭାବେ କାର୍ଯ୍ୟ କରୁଥିଲେ । ଏବେ ପାହାଳ ନିକଟସ୍ଥ ଜୋହଳରେ ରହୁଥିବା ସୁକାନ୍ତ ଗତ ୨୦୧୫ ଜାନୁୟାରୀ ୩୧ ତାରିଖରେ ଅବସର ଗ୍ରହଣ କରିଥିଲେ । ତାଙ୍କୁ ପ୍ରୋଭିଜନାଲ ପେନସନ ମିଳିଛି । ଅବସର ଗ୍ରହଣର ୭ ବର୍ଷ ପରେ ବି ତାଙ୍କୁ ଫାଇନାଲ ପେନସନ କିମ୍ବା ଆରଏସପି ମିଳିନାହିଁ । ନିଜର ଫାଇନାଲ ପେନସନ ଲାଗି ସେ ବାରମ୍ବାର କଟକ ମହାନଗର ନିଗମ କାର୍ଯ୍ୟାଳୟକୁ ଦୌଡି ଶେଷରେ ନିରାଶ ହୋଇ ନିଜ ପୈତୃକ ଘରକୁ ଫେରି ଆସିଛନ୍ତି । ପୈତୃକ ଘରେ ଥିବା ବେଳେ ସେ କର୍କଟ ରୋଗରେ ପୀଡିତ ହେବାରୁ ଚିକିତ୍ସା ଲାଗି ବାରମ୍ବାର କଟକର ଆଚାର୍ଯ୍ୟ ହରିହର କର୍କଟ ରୋଗ ଚିକିତ୍ସା କେନ୍ଦ୍ରକୁ ଆସୁଛନ୍ତି । ଏବେ ତାଙ୍କୁ ପ୍ରୋଭିଜନାଲ ପେନସନ ବାବଦରେ ଯାହା କିଛି ମିଳୁଛି, ତାହା ନିଜର ଚିକିତ୍ସା ଖର୍ଚ୍ଚ ଲାଗି ନିଅଣ୍ଟ, ଏହାଛଡା ଘର ଭଡା ଓ ନିଜ ପତ୍ନୀ ଏବଂ ପୁଅର ଖର୍ଚ୍ଚ ତାଙ୍କ ଲାଗି ବୋଝ ଉପରେ ନଳିତା ବିଡା ସଦୃଶ୍ୟ ହୋଇଛି । କର୍କଟ ରୋଗ ପ୍ରକୋପରୁ ଏବେ ସେ ଶଯ୍ୟାଶାୟୀ । ନିଜର ଫାଇନାଲ ପେନସନ ଓ ଆରଏସପି ପାଇଁ ସେ କଟକ ମେୟର ସୁବାସ ସିଂହଙ୍କୁ ପତ୍ର ଲେଖି ନିଜର ପ୍ରାପ୍ୟ ପ୍ରଦାନ ଲାଗି ନିବେଦନ କରିଛନ୍ତି ।
