ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚ କର୍ମଶାଳା ଅନୁଷ୍ଠିତ ।
ଯାଜପୁର : ବାଲ୍ୟ ବିବାହକୁ ପ୍ରତିହତ କରିବାକୁ ଅନେକ ଆଇନ ଓ ବ୍ୟବସ୍ଥା ରହିଥିଲେ ମଧ୍ୟ ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ବ୍ୟାପକ ସହଯୋଗ ଓ ସଚେତନତାର ଆବଶ୍ୟକତା ରହିଚ୍ଥି ବୋଲି ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଏ. ଊଷାରାଣୀ ଆହ୍ୱାନ ଦେଇଚ୍ଥନ୍ତି । ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକଙ୍କ ଆବାହକତ୍ୱରେ ସମ୍ମିଳନୀ ଗୃହରେ ଜିଲ୍ଲା ପ୍ରଶାସନ ଓ ଆକ୍ସନ ଏଡ୍ର ସହାୟତାରେ ଜିଲ୍ଲା ସ୍ତରୀୟ ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଏ. ଉଷାରାଣୀ ସରକାରୀ ସ୍ତରରେ ଜିଲ୍ଲା, ବ୍ଳ୍କ ଓ ପଞ୍ଚାୟତ ସ୍ତରରେ ଗଠିତ ଟାସ୍କପୋଂର୍ସ ଗୁଡିକୁ ନିୟମିତ ସମୀକ୍ଷା ସହ ତ୍ୱରାନ୍ୱିତ କରିବା ପାଇଁ ସମସ୍ତ ଲାଇନ ଡିପାର୍ଟମେଣ୍ଟର କର୍ମକର୍ତ୍ତା ମାନଙ୍କୁ ପରାମର୍ଶ ଦେଇଥିଲେ । ବାଲ୍ୟ ବିବାହକୁ ପ୍ରତି ସ୍ତରରେ ପ୍ରତିହତ ପାଇଁ ଉଦ୍ୟମ ସ୍ୱରୂପ ବିଦ୍ୟାଳୟରୁ ଝିଅ ପିଲାଙ୍କ ଡ୍ରପ ଆଉଟର ତଥ୍ୟ ନିୟମିତ ସଂଗ୍ରହ ସହ ବିଦ୍ୟାଳୟକୁ ନ ଆସିବାର କାରଣ ଓ ସଚେତନତା ପାଇଁ ସେ ଗୁରୁତ୍ୱ ଦେଇଥିଲେ । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସରୋଜ କୁମାର ଶତପଥୀ କାର୍ଯ୍ୟକ୍ରମରେ ଯୋଗଦେଇ କହିଲେ ଯେ, ବାଲ୍ୟ ବିବାହ ନିରୋଧ ପାଇଁ ୨୦୦୬ ମସିହା ଠାରୁ ବଳିଷ୍ଠ ଆଇନ ପ୍ରଣୟନ କରାଯାଇଥିଲେ ମଧ୍ୟ ସଚେତନତା ଅଭାବରୁ ଆମ୍ଭେ ଏ ଯାଏ ଏହାକୁ ସଂପୂର୍ଣ୍ଣ ଭାବେ ରୋକିବାକୁ ସକ୍ଷମ ହୋଇପାରୁ ନାହୁଁ । ଏଥିପାଇଁ ତୃଣମୂଳ ସ୍ତରରେ ଏହାର କୁ ପରିଣାମ ବିଷୟରେ ଲୋକ ମାନଙ୍କୁ ବୁଝାଇ ପାରିଲେ ଆଗାମୀ ଦିନରେ ଏହା ଶୂନ୍ୟ ପ୍ରତିଶତକୁ ଖସିଆସିବ ବୋଲି ସେ ଦୃଢ ଆଶା ପୋଷଣ କରିଥିଲେ । ଏହି ଊପଲକ୍ଷେ ଆଜି ଏକ ବାଲ୍ୟ ପ୍ରତିରୋଧ ମଞ୍ଚ ଜିଲ୍ଲା ସ୍ତରରେ ଗଠନ କରାଯାଇ ସଭାପତି ଭାବେ ପ୍ରିତିଦୀପା ମଲ୍ଲଙ୍କୁ ସଭାପତି, ଆକାଂକ୍ଷା ଭଦ୍ରଙ୍କୁ ଉପସଭାପତି, ଶୁଭଶ୍ରୀ ଦୀକ୍ଷିତଙ୍କୁ୍ ସଂପାଦକ, ପ୍ରଜ୍ଞାପରମିତା ଜେନାଙ୍କୁ ଯୁଗ୍ମ ସଂପାଦିକା ଭାବେ ଚୟନ କରାଯାଇଥିଲା । ପ୍ରାରମ୍ଭରେ ଆକ୍ସନ ଏଡ୍ର ଜିଲ୍ଲା ସଂଯୋଜକ ସୁରେନ୍ଦ୍ର କୁମାର ଡିଗାଲ ସମସ୍ତଙ୍କୁ ସ୍ୱାଗତ କରିବା ସହ ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚର ଆଭିମୁଖ୍ୟ ଊପରେ ବିସ୍ତୃତ ଆଲୋଚନା କରିଥିଲେ ଓ ଆଗାମୀ ଦିନର କାର୍ଯ୍ୟ ପନ୍ଥା ଉପରେ ସୂଚନା ପ୍ରଦାନ କରିଥିଲେ । ଅତିରିକ୍ତ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସୁବାଷ ସନ୍ଦ୍ର ସାମଲ, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ପ୍ରୋବେସନ ଅଧିକାରୀ ତପନ କୁମାର ପଣ୍ଡା, ମହିଳା ସୁରକ୍ଷା ଅଧିକାରିଣୀ ସଂଗୀତା ଦଳାଇ,ସମାଜ ସେବୀ ମଣ୍ଟୁ ଦାସ. ଜିଲ୍ଲାର ସମସ୍ତ ଶିଶୁ ବିକାଶ ଅଧିକାରିଣୀ, ଅଙ୍ଗନୱାଡି ସୁପରଭାଇଜର, ଚାଇଲ୍ଡଲାଇନ ଓ ୱାନ ଷ୍ଟପ ସେଣ୍ଟରର କର୍ମକର୍ତ୍ତା ଏବଂ ବିଭିନ୍ନ ବ୍ଳ୍କରୁ ଆସିଥିବା ବାଳକ, ବାଳିକା ପ୍ରମୁଖ ଯୋଗଦେଇ ବାଲ୍ୟ ବିବାହର କାରଣ, ନିରାକରଣ, ସଚେତନତା ଊପରେ ବକ୍ତବ୍ୟ ରଖିବା ସହ ସେମାନଙ୍କ ମତାମତ ପ୍ରଦାନ କରିଥିଲେ । ଏହି ଅବସରରେ ବାଲ୍ୟ ବିବାହ ପ୍ରତିରୋଧ ପାଇଁ ଏକ ଶପଥ ପାଠ ଅନୁଷ୍ଠିତ ହୋଇଥିଲା ।
