ବରିଷ୍ଠ ମହିଳା ଟି-୨୦ ପ୍ରତିଯୋଗିତା : ତ୍ରିପୁରାଠୁ ୧୦ ରନ୍ରେ ହାରିଲା ଓଡ଼ିଶା
ଭୁବନେଶ୍ବର: ବେଙ୍ଗାଲୁରୁରେ ଚାଲିଥିବା ବରିଷ୍ଠ ମହିଳା ଟି-୨୦ ପ୍ରତିଯୋଗିତାରେ ଓଡ଼ିଶା ଦ୍ବିତୀୟ ପରାଜୟ ବରଣ କରିଛି। ଆଲୁର କ୍ରିକେଟ୍ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍ରେ ଓଡ଼ିଶା ୧୦ ରନ୍ରେ ତ୍ରିପୁରାଠୁ ହାରିଯାଇଛି। ଟସ୍ ଜିତି ବ୍ୟାଟିଂ େନଇଥିବା ତ୍ରିପୁରା ୧୯.୪ ଓଭରରେ ସମସ୍ତ ୱିକେଟ୍ ହରାଇ ୮୮ ରନ୍ କରିଥିଲା। ଜେଆର୍ ଦେବନାଥ ୨୧ ଓ ଏସ୍ଏସ୍ ଚକ୍ରବର୍ତ୍ତୀ ୧୬ ରନ୍ କରିଥିଲେ।
ଓଡ଼ିଶା ପକ୍ଷରୁ ପ୍ରିୟଙ୍କା ପ୍ରିୟଦର୍ଶିନୀ (୪/୧୦) ଏବଂ ସୁଶ୍ରୀ ଦିବ୍ୟଦର୍ଶିନୀ (୩/୧୨) ଚମତ୍କାର ବୋଲିଂ ସଫଳତା ପାଇଥିଲେ। ହେଲେ ୮୯ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଓଡ଼ିଶା ଦୁଇ ଓପନର୍ ଅଧିନାୟକ ମାଧୁରୀ ମେହେଟ୍ଟା (୨) ଓ କାଜଲ ଜେନା (୪)ଙ୍କୁ ୯ ରନ୍ରେ ହରାଇ ସଙ୍କଟରେ ପଡ଼ିଥିଲା। ସରିତା ମେହେର (୨୧) ଓ ସୁଶ୍ରୀ ଦିବ୍ୟଦର୍ଶିନୀ (୧୨) ଦୁଇ ଅଙ୍କ ଛୁଇଁବା ସହ କିଛିଟା ଲଢ଼ିଥିଲେ। ହେଲେ ଅନ୍ୟ ବ୍ୟାଟର୍ମାନେ ଏକ ଅଙ୍କ ମଧ୍ୟରେ ରହିବାରୁ ଓଡ଼ିଶା ୨୦ ଓଭରରେ ୭୯/୯ରେ ଅଟକି ଯାଇଥିଲା। ଏଥିସହ ଗ୍ରୁପ୍ ଏ’ରେ ଓଡ଼ିଶା ୬ଟି ମ୍ୟାଚ୍ ଖେଳିଥିଲା ବେଳେ ଦୁଇଟି ମ୍ୟାଚ୍ରେ ବିଜୟୀ ହୋଇଛି। ଓଡ଼ିଶା ମହିଳା ଦଳ ଶେଷ ଲିଗ୍ ମ୍ୟାଚ୍ ରବିବାର ମିଜୋରାମ ବିପକ୍ଷରେ ଖେଳିବ।
