ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ଘୂର୍ଣ୍ଣିବଳୟ : ୨୪ ଓ ୨୫ରେ ବର୍ଷା
ଭୁବନେଶ୍ୱର : ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସକ୍ରିୟ ଥିବା ବେଳେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ଘୂର୍ଣ୍ଣିବଳୟ । ଆସନ୍ତା ୪୮ ଘଣ୍ଟା ଭିତରେ ୨ ବଳୟ ମିଶିବା ସମ୍ଭାବନା ରହିଛି । ଏହା ପ୍ରଭାବ ଉପରେ ଆଇଏମଡିର ନଜର ରହିଛି । ସେପଟେ ଆସନ୍ତାକାଲି ଲଘୁଚାପ ଅବପାତ ଏବଂ ୨୪ ତାରିଖରେ ଗଭୀର ଅବପାତର ରୂପ ନେବ । ଏହାର ପ୍ରଭାବରେ ୨୪ ଓ ୨୫ତାରିଖରେ ଓଡିଶାର ଉପକୂଳ ଜିଲା ଗୁଡିକରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
ଅନ୍ୟପକ୍ଷରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଥିବା ବାତ୍ୟାର ଗତିପଥକୁ ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ବାତ୍ୟା କେଉଁଠି ସ୍ଥଳଭାଗ ଛୁଇଁବ ଆଇଏମଡି ସ୍ପଷ୍ଟ ଭାବେ କହିନଥିଲେ ବି ଓଡିଶାରେ ମାଡ ହେବ ନାହିଁ ବୋଲି ଅନୁମାନ କରିଛି । ଏଥିସହ ସମୁଦ୍ର ଭିତରେ ଓଡିଶା ଉପକୂଳ ଦେଇ ବାତ୍ୟା ଅତିକ୍ରମ କରିବାର ସମ୍ଭାବନା ଥିବା କହିଛି ଆଇଏମଡି । ଏହାର ପ୍ରଭାବରେ ୨୪ ଓ ୨୫ତାରିଖରେ ଓଡିଶାର ଉପକୂଳ ଜିଲ୍ଲା ଗୁଡିକରେ ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଏସବୁ ଆକଳନ ଭିତରେ ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି । ୨୩ ତାରିଖ ବେଳକୁ ଅବପାତ ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବ । ୨୪ତାରିଖରେ ଏହା ଦିଗ ପରିବର୍ତ୍ତନ କରି ଉତ୍ତର ଆଡ଼କୁ ମୋଡ଼ ବଦଳାଇବ ଓ ଏକ ‘ବାତ୍ୟା’ର ରୂପ ନେବ । ଏହା ପରେ ଉତ୍ତର-ଉତ୍ତର ପୂର୍ବ ଦିଗ ଆଡ଼କୁ ଗତି କରିବ । ବାତ୍ୟା ଓଡ଼ିଶା ଉପକୂଳ ପାଖାପାଖି ଗତି କରି ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ଆଡ଼କୁ ମୁହାଁଇବ । ୨୫ ତାରିଖରେ ଏହା ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ନିକଟ ସମୁଦ୍ରରେ ପହଞ୍ଚିବ । ଏହାର ସବୁଠୁ ଅଧିକ ପ୍ରଭାବ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପରେ ରହିବାର ସମ୍ଭାବନା ରହିଛି । ତେବେ ଏବେଠୁ ଏହାର ତୀବ୍ରତା ସମ୍ପର୍କରେ କହିହେବ ନାହିଁ । ଅବପାତରେ ପରିଣତ ହେଲେ ଏହାର ରୂପରେଖ ଅଧିକ ସ୍ପଷ୍ଟ ହେବ । ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲାରେ ୨୪ ଓ ୨୫ରେ ବର୍ଷା ହେବ । ୪ ତାରିଖ ଭୋର ପରଠାରୁ ସମ୍ଭାବ୍ୟ ସିଷ୍ଟମ ପ୍ରଭାବରେ ଉପକୂଳ ଓଡ଼ିଶାର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଥିବା ବେଳେ ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଆଦି ଜିଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ୨୫ ତାରିଖରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ତଥା କଟକ, ଯାଜପୁର, ଖୋର୍ଦ୍ଧା, ପୁରୀ ଓ ମୟୂରଭଞ୍ଜ ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଆଇଏମ୍ଡି ଏହି ଦୁଇ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।
