ସ୍ୱାସ୍ଥ୍ୟ ଉପକେନ୍ଦ୍ର ଉଦ୍ଘାଟିତ
ଯାଜପୁର : ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଦଶରଥପୁର ବ୍ଲକ ଡାହାଣହତା ପଞ୍ଚାୟତ ଗୋପାଳପୁର ଠାରେ ନୂତନଭାବେ ଏକ ଆରୋଗ୍ୟ ସ୍ୱାସ୍ଥ୍ୟ ଉପ-କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ଯୁବ ସମାଜସେବୀ ତଥା ଦଶରଥପୁର ବ୍ଲକ ବିଜେଡ଼ି ସଭାପତି ଅଜୟ କୁମାର ମହାନ୍ତି ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥିଭାବେ ଯାଜପୁର ବିଧାୟକ ପ୍ରତିନିଧି ତଥା ବରିଷ୍ଠ ବିଜେଡ଼ି ନେତା କର୍ଣ୍ଣାଟକେଶରୀ ଦାସ ଫିତା କାଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଞ୍ଚାୟତ ବାସୀଙ୍କ ପାଇଁ ଉତ୍ସର୍ଗ କରିବା ସହିତ ସରକାରଙ୍କ ପକ୍ଷରୁ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ଥଣ୍ଡା, ଜ୍ୱର, ସର୍ଦି ଭଳି ସାମୟିକ ଅସୁସ୍ଥତାକୁ ନେଇ ଚିକିତ୍ସା ଓ ଔଷଧ ଉପଲବ୍ଧ କରାଯାଉଥିବା ବେଳେ ଲୋକମାନଙ୍କ ପାଇଁ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାଏବେଟିସ୍ ଓ ବ୍ଲଡ଼ ପ୍ରେସର ଆଦି ପରୀକ୍ଷା କରାଯାଇ ପାରିବ ବୋଲି ଉପସ୍ଥିତ ପଞ୍ଚାୟତବାସୀଙ୍କୁ ସୂଚନା ଦେଇଥିଲେ । ସମ୍ମାନିତ ଅତିଥିଭାବେ ମଙ୍ଗଳପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରର ଭାରାପ୍ରାପ୍ତ ସ୍ୱାସ୍ଥ୍ୟାଧିକାରୀ ବିନ୍ଦୁସାଗର ସାମଲ, ସ୍ଥାନୀୟ ସରପଞ୍ଚ ପଦ୍ମାବଦୀ ବିଶ୍ୱାଳ, ସମିତି ସଭ୍ୟା, ଆୟୁଷ ଡାକ୍ତର ସୁଶାନ୍ତ ଦାସ, ବିପିଏମ୍ ମିହିର ରଂଜନ ନାୟକ, ସ୍ୱାସ୍ଥ୍ୟକର୍ମୀ ଅଶ୍ୱନୀ କୁମାର ଖୁଣ୍ଟିଆ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ପୁଷ୍ପାଞ୍ଜଳି ନାୟକ ପ୍ରମୁଖ ଉପସ୍ଥିତ ଥିବାବେଳେ ବହୁ ସଂଖ୍ୟାରେ ସ୍ଥାନୀୟ ଅଞ୍ଚଳବାସୀ ଯୋଗଦେଇଥିଲେ ।
